ଜନ୍ମାଷ୍ଟମୀରେ ଦହି ହାଣ୍ଡି ଭଙ୍ଗା ଉତ୍ସବ
ଆଜି ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମତିଥି ବା ଜନ୍ମାଷ୍ଚମୀ। ଏହିଦିନ ନିଶାର୍ଦ୍ଧରେ କଂସର ବନ୍ଦୀଶାଳାରେ ଦେବକୀଙ୍କ ଅଷ୍ଚମ ଗର୍ଭରେ ଜନ୍ମଗ୍ରହଣ କରିଥିଲେ ଭଗବାନ ଶ୍ରୀକୃଷ୍ଣ । କେହି କେହି ତାଙ୍କୁ ଭଗବାନ ବିଷ୍ଣୁଙ୍କର ଅଷ୍ଟମ, ତ୍ରୟୋଦଶ ବା ବିଂଶ ଅବତାର ବୋଲି କହିଥାନ୍ତି । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବେ କୃଷ୍ଣ ଦେବକୀ ଓ ବସୁଦେବଙ୍କ ପୁଅ ଭାବେ ମଥୁରାରେ ଜନ୍ମ ଗ୍ରହଣ କରିଥିଲେ । ଏହି ତିଥିର ରାତ୍ରିରେ କୃଷ୍ଣଙ୍କୁ ଧ୍ୟାନ କଲେ, ତାଙ୍କ ନାମ ନେଇ ମନ୍ତ୍ର ଜପକଲେ, ସାଂସାରିକ ମୋହମାୟା ଜନିତ ଆସକ୍ତି ଦୂରହୁଏ ବୋଲି ବିଶ୍ୱାସ ରହିଛି । ତେଣୁ ଏହାକୁ ମୋହରାତ୍ରି ମଧ୍ୟ କୁହାଯାଏ । ସାରା ବିଶ୍ୱର ହିନ୍ଦୁ ସଂପ୍ରଦାୟ ପାଇଁ ଏହା ଏକ ପବିତ୍ର ଦିନ । ଏଥିରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସାମିଲ ହୋଇଥାନ୍ତି ।
ଦୂରାଚାରୀ କଂସର ପ୍ରକୋପରୁ ମଥୁରାବାସୀଙ୍କୁ ବଞ୍ଚାଇବା ଲାଗି ଭଗବାନ ଶ୍ରୀକୃଷ୍ଣ ଧରାବତରଣ କରିଥିଲେ । କଂସର ଭଉଣୀ ଦେବକୀ ଓ ବସୁଦେବଙ୍କ ଅଷ୍ଟମ ସନ୍ତାନ ଭାବେ ଜନ୍ମ ଗ୍ରହଣ କରିଥିଲେ ଭଗବାନ । ଯିଏକି ପରବର୍ତ୍ତୀ ସମୟରେ ନନ୍ଦ ଓ ଯଶୋଦାଙ୍କ ଦ୍ୱାରା ପ୍ରତିପାଳିତ ହୋଇଥିଲେ । ଶ୍ରୀକୃଷ୍ଣ ଖାଲି ଯେ କଂସକୁ ମାରିଥିଲେ ତା’ ନୁହେଁ ମହାଭାରତ ଯୁଦ୍ଧରେ ତାଙ୍କର ପ୍ରମୁଖ ଭୂମିକା ଥିଲା ବୋଲି ହିନ୍ଦୁ ଶାସ୍ତ୍ରରୁ ଜଣାପଡେ । ଏପରିକି ଭଗବାନ କୃଷ୍ଣ ମାନବ ଜାତିକୁ କର୍ମଯୋଗ ସମ୍ପର୍କରେ ଶିକ୍ଷା ଦେଇଥିଲେ । ସାରା ଦେଶରେ ବଡ ଧୁମଧାମରେ ‘ଜନ୍ମାଷ୍ଟମୀ’ ପାଳିତ ହେଉଥାଏ । ଏହାର ଗୋଟିଏ ଦିନ ପରେ ‘ଦହି ହାଣ୍ଡି ଭଙ୍ଗା ଉତ୍ସବ’ ପାଳନ କରାଯାଇଥାଏ ।
ଦହି ହାଣ୍ଡି ଭଙ୍ଗା ଉତ୍ସବ କ’ଣ :
ଖାସକରି ଏହି ଉତ୍ସବ ମହାରାଷ୍ଟ୍ର ଓ ଗୁଜୁରାଟରେ ପାଳନ କରାଯାଉଥିବା ବେଳେ ଏବେକା ସମୟରେ ଦହି ହାଣ୍ଡି ଭଙ୍ଗା ଉତ୍ସବ ପ୍ରାୟତଃ ସବୁଠି ପାଳନ କରାଯାଉଅଛି । ଏହି ଦହି ହାଣ୍ଡିକୁ ତଳୁ ପ୍ରାୟ ୩୦ ଫୁଟ୍ ଉଚ୍ଚରେ ଟଙ୍ଗା ଯାଇଥାଏ । ପରେ ଯୁବକ ମାନେ ମାନବ ପିରାମିଡ୍ ଜରିଆରେ ହାଣ୍ଡିକୁ ଭାଙ୍ଗିଥାନ୍ତି । ହେଲେ ଚଳିତ ଥର କରୋନା କଟକଣା ଯୋଗୁଁ ଏହି ଉତ୍ସବ ଫିକା ପଡିପାରେ ।
କାହିଁକି ପାଳିତ ହୁଏ ଦହି ହାଣ୍ଡି ଉତ୍ସବ :
ପୌରାଣିକ କଥାନୁଯାୟୀ ବୃନ୍ଦାବନବାସୀ ଲହୁଣୀ ଚୋର କୃଷ୍ଣଙ୍କ ଠାରୁ ନିଜ ଲହୁଣୀକୁ ଲୁଚାଇବାକୁ ଯାଇ ଉଚ୍ଚଉଚ୍ଚ ସ୍ଥାନରେ ଟାଙ୍ଗି ଦେଉଥିଲେ । କିନ୍ତୁ ସେମାନଙ୍କ ସତ ଚେଷ୍ଟା ପରେ ମଧ୍ୟ ଅତ୍ୟନ୍ତ ଚତୁରତାର ସହ ବାଳଗୋପାଳ କୃଷ୍ଣ ହାଣ୍ଡି ଭାଙ୍ଗୁଥିଲେ । ଏପରିକି ଲହୁଣୀ ଖାଇବା ଲାଗି କୃଷ୍ଣ ନିଜ ବନ୍ଧୁମାନଙ୍କ ସହ ମିଶି ପିରାମିଡ ଶୈଳୀରେ ଜଣକ ଉପରେ ଜଣେ ଚଢି ହାଣ୍ଡି ସବୁକୁ ଭାଙ୍ଗି ଅତି ଆନନ୍ଦରେ ଲହୁଣୀ ଖାଇ ଦେଉଥିଲେ । ପରବର୍ତ୍ତୀ ସମୟରେ ଏହାକୁ ପରମ୍ପରା ରୂପ ଦିଆଯାଇ ଦହିହାଣ୍ଡି ଉତ୍ସବ ପାଳନ କରାଯାଉଅଛି ।
