ଆଜିଠୁ ଆଫଗାନିସ୍ତାନରେ ତାଲିବାନ ସରକାର!
କାବୁଲ : ଆଫଗାନିସ୍ତାନ ଉପରେ କବଜା କରିବା ପରେ ଶୁକ୍ରବାର ନୂଆ ସରକାର ଘୋଷଣା କରିବାକୁ ଯାଉଛି ତାଲିବାନ । ଶୁକ୍ରବାର ନମାଜ ପରେ ତାଲିବାନ ଏହି ଘୋଷଣା କରିପାରେ । ଆମେରିକା ସେନା ଦେଶ ଛାଡ଼ିବା ପରେ ଆକାଶକୁ ଫାୟାରିଂ କରି ତାଲିବାନ ଖୁସି ମନାଇଥିଲା । ଆଫଗାନିସ୍ତାନରେ ଆର୍ôଥକ ସଙ୍କଟ ମଧ୍ୟରେ ଆତଙ୍କବାଦୀ ସଂଗଠନ ଦେଶର ଶାସନ ଭାର ଗ୍ରହଣ କରିବାକୁ ଯାଉଛି । ଏବେ ବିଦେଶରୁ ଆର୍ôଥକ ସହୟତା ମିଳିଲେ ହିଁ ଦେଶ ଚାଲିପାରିବ । ସେପଟେ ଆଫଗାନିସ୍ତାନ ପାଇଁ ଖାଦ୍ୟ ସମସ୍ୟା ଏକ ବଡ଼ ଆହ୍ୱାନ ହୋଇ ମଧ୍ୟ ଛିଡ଼ା ହୋଇଛି । ଏହି ସମୟରେ ତାଲିବାନ କିପିରି ଦେଶରେ ଶାସନ କରିବ ତା ଉପରେ ମଧ୍ୟ ବିଶ୍ୱର ନଜର ରହିବ ।
ଶୁକ୍ରବାର ପ୍ରାର୍ଥନା ପରେ ସର୍ବୋଚ୍ଚ ନେତା ମୁଲ୍ଲା ହେବ୍ତୁଲ୍ଲା ଅଖୁନ୍ଦଜାଦାଙ୍କ ଅନୁମୋଦନକ୍ରମେ ତାଲିବାନ ସରକାରର ମନ୍ତ୍ରୀ ପରିଷଦ ସଦସ୍ୟଙ୍କ ନାମ ଘୋଷଣା ହେବ ଏବଂ ଏହା ସହିତ ସରକାରର ଦାୟିତ୍ବ ଗ୍ରହଣ ପର୍ବ ଚାଲିବ ବୋଲି ଜଣାପଡ଼ିଛି । ଆଜି କତାରରେ ତାଲିବାନ ରାଜନୈତିକ ବିଭାଗ ଉପମୁଖ୍ୟ ଶେର ଆବ୍ବାସ ସ୍ତାନିକଜାଇ କହିଛନ୍ତି, ୨୦୦୧ରେ ଆମେରିକା ଆଫଗାନ ଦଖଲ କରିବାପରେ ଯେଉଁମାନେ କ୍ୟାବିନେଟ୍ରେ ଥିଲେ ସେମାନଙ୍କୁ ନୂଆ କ୍ୟାବିନେଟରେ ସ୍ଥାନ ମିଳିବନାହିଁ। ୬୦ ବର୍ଷୀୟ ମୁଲ୍ଲା ଅଖୁନ୍ଦଜାଦା ଦେଶର ସର୍ବୋଚ୍ଚ ନେତା ରହିବେ ଏବଂ ତାଙ୍କର ପୂର୍ଣ୍ଣ ନିୟନ୍ତ୍ରଣରେ ସମସ୍ତ ସରକାରୀ ଓ ଧାର୍ମିକ କ୍ଷମତା ରହିବ। ଇରାନ୍ ମଡେଲ ଆଧାରରେ ତାଲିବାନର ନୂଆ ଶାସନ ବ୍ୟବସ୍ଥାର ରୂପରେଖ ପ୍ରସ୍ତୁତ କରାଯାଇଛି। ନୂଆ ସରକାରରେ ମହିଳାଙ୍କ ଭୂମିକା ମଧ୍ୟ ରହିବ ବୋଲି ସ୍ତାନିକଜାଇ କହିଥିବା ବେଳେ ମହିଳାଙ୍କୁ ଉଚ୍ଚ ପଦବି ମିଳିବ କି ନା’ ତାହା ସେ ସ୍ପଷ୍ଟ କରିନାହାନ୍ତି। ସରକାର ଗଠନ ପରେ ଆଗକୁ ତାଲିବାନ ପାଇଁ ବହୁତ ବଡ଼ ଚ୍ୟାଲେଂଜ ରହିଛି। ଏବେ ଦେଶର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଆଫଗାନିସ୍ତାନରେ ଗଚ୍ଛିତ ଥିବା ଖାଦ୍ୟ ଚଳିତ ମାସରେ ଶେଷ ହୋଇଯିବ ବୋଲି ଜଣେ ବରିଷ୍ଠ ଜାତିସଂଘ ଅଧିକାରୀ କହିଛନ୍ତି। ବହୁ ଦଶନ୍ଧିର ଯୁଦ୍ଧପରେ ତାଲିବାନମାନେ ପ୍ରଥମେ ଆଫଗାନ ମାଟିରେ ସ୍ଥିରତା ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି କିନ୍ତୁ ନୂଆ ତାଲିବାନ ଶାସକଙ୍କ ପାଇଁ ପ୍ରଥମ ଚ୍ୟାଲେଂଜ ହେବ କ୍ଷୁଧା ସଙ୍କଟ। ଦେଶର ଏକ ତୃତୀୟାଂଶ ଜନସଂଖ୍ୟା ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଛି। ଆଗକୁ ପ୍ରତିଦିନ ସେମାନଙ୍କୁ ଗୋଟିଏ ଓଳି ଖାଦ୍ୟ ମିଳିବ କି ନା’ ତାହା ସେମାନେ ଜାଣନ୍ତିନି। ତାଲିବାନ ଏବେ ଲଗାତାର କହିଆସୁଛି ଯେ ଏହା ଆମେରିକା ସମେତ ଅନ୍ୟ ରାଷ୍ଟ୍ରମାନଙ୍କ ସହ ଉତ୍ତମ ସମ୍ପର୍କ ରଖିବ। କିନ୍ତୁ ବାସ୍ତବ କ୍ଷେତ୍ରରେ ତାଲିବାନ ପାଇଁ ଏହା ଏକ ବଡ଼ ଚ୍ୟାଲେଂଜ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ତାଲିବାନକୁ ଆଇଏସ୍-କେ ଗୋଷ୍ଠୀକୁ ସାମ୍ନା କରିବାକୁ ପଡ଼ିବ। ଆଫଗାନ ମାଟିକୁ ଅନ୍ୟ କୌଣସି ରାଷ୍ଟ୍ର ବିରୋଧରେ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ବ୍ୟବହାର ହେବନି ବୋଲି ତାଲିବାନ ପ୍ରତିଶ୍ରୁତି ଦେଇଥିଲେ ବି ବାସ୍ତବ ସ୍ଥିତି ସଂପୂର୍ଣ୍ଣ ଅଲଗା ରହିଛି। ମୋଟ୍ ଉପରେ ତାଲିବାନ ପାଇଁ ସରକାର ପରିଚାଳନା କରିବା ଏତେ ସହଜ ହେବନାହିଁ। ଅର୍ଥ ଅଭାବ ଏବଂ ଅନ୍ତର୍ଜାତୀୟ ସହଯୋଗର ଅଭାବ ତାଲିବାନ ପଇଁ ମହାସଙ୍କଟ ଆଣିବ।
