ଆସନ୍ତାକାଲି ଠୁ ଆଫଗାନିସ୍ତାନରେ ତାଲିବାନ ସରକାର!
କାବୁଲ : ଆଫଗାନିସ୍ତାନ ଉପରେ କବଜା କରିବା ପରେ ଶୁକ୍ରବାର ନୂଆ ସରକାର ଘୋଷଣା କରିବାକୁ ଯାଉଛି ତାଲିବାନ । ଶୁକ୍ରବାର ନମାଜ ପରେ ତାଲିବାନ ଏହି ଘୋଷଣା କରିପାରେ । ଆମେରିକା ସେନା ଦେଶ ଛାଡ଼ିବା ପରେ ଆକାଶକୁ ଫାୟାରିଂ କରି ତାଲିବାନ ଖୁସି ମନାଇଥିଲା । ଆଫଗାନିସ୍ତାନରେ ଆର୍ôଥକ ସଙ୍କଟ ମଧ୍ୟରେ ଆତଙ୍କବାଦୀ ସଂଗଠନ ଦେଶର ଶାସନ ଭାର ଗ୍ରହଣ କରିବାକୁ ଯାଉଛି । ଏବେ ବିଦେଶରୁ ଆର୍ôଥକ ସହୟତା ମିଳିଲେ ହିଁ ଦେଶ ଚାଲିପାରିବ । ସେପଟେ ଆଫଗାନିସ୍ତାନ ପାଇଁ ଖାଦ୍ୟ ସମସ୍ୟା ଏକ ବଡ଼ ଆହ୍ୱାନ ହୋଇ ମଧ୍ୟ ଛିଡ଼ା ହୋଇଛି । ଏହି ସମୟରେ ତାଲିବାନ କିପିରି ଦେଶରେ ଶାସନ କରିବ ତା ଉପରେ ମଧ୍ୟ ବିଶ୍ୱର ନଜର ରହିବ ।
କିନ୍ତୁ ଏହା ପୂର୍ବରୁ ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ କିଏ ସୁପ୍ରିମ ଲିଡର ରହିବ ସେନେଇ ମଧ୍ୟ ସୂଚନା ମିଳିଛି । ଆଫଗାନି ମଡିଆ ରିପୋର୍ଟ ମୁତାବିକ, ତାଲିବାନ ନେତା ହିବତୁଲ୍ଲାହ ଅଖୁନ୍ଦଜାଦା ସରକାରର ମୁଖ୍ୟ ହେବ ଏବଂ ତା ନିର୍ଦେଶାନୁସାରେ ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି କାର୍ଯ୍ୟ କରିବେ । ତାଲିବାନର ସାଂସ୍କୃତିକ କମିଶନର ସଦସ୍ୟ ଅନମୁଲ୍ଲାହ ସମନଗନୀ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ନୂଆ ସରକାର ଉପରେ ବିଚାର ବିମର୍ସର ସମସ୍ତପ ପ୍ରକ୍ରିୟା ଶେଷ ହୋଇଛି । କ୍ୟାବିନେଟ ପାଇଁ ମଧ୍ୟ ଜରୁରୀ ନିଷ୍ପତି ନିଆଯାଇଛି । ଆମେ ଯେଉଁ ଇସଲାମ୍ ସରକାର ଘୋଷଣା କରିବୁ ତାହା ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ । ଅଖୁନ୍ଦଜାଦାଙ୍କ ନେତୃତ୍ୱରେ ସରକାର ଗଠନ ହେବ । ଏଥିରେ କୌଣସି ସନ୍ଦେହ ନାହିଁ ।’ ଅନ୍ୟପଟେ ଆଫଗାନିସ୍ତାନରେ ନୂଆ ସରକାର ଗଠନକୁ ନେଇ ଆମେରିକାର ପ୍ରତିକ୍ରିୟା ମିଳିଛି । ଆମେରିକା କିମ୍ବା ଅନ୍ୟ କୌଣସି ଦେଶ ତାଲିବାନକୁ ମାନ୍ୟତା ଦେବାକୁ ତରିବରିଆ ନିଷ୍ପତି ନେବେ ନାହିଁ ବୋଲି ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି । ତେବେ ଏହି ମାନ୍ୟତା ତାଲିବାନର ବ୍ୟବହାର ଉପରେ ନିର୍ଭର କରୁଛି ବୋଲି ମଧ୍ୟ ଆମେରିକା କହିଛି ।
