ଆଜି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଅନ୍ତିମ ସଂସ୍କାର
ମୁମ୍ବାଇ : ଲୋକପ୍ରିୟ ଅଭିନେତା ତଥା ବିଗବସ୍ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ହୃଦଘାତରେ ଗୁରୁବାର ପରଲୋକ ହୋଇଯାଇଛି । ଶୁକ୍ରବାର ତାଙ୍କର ଅନ୍ତିମ ସଂସ୍କାର ହେବ । ସିଦ୍ଧାର୍ଥ ଶୁକ୍ଲା ବୁଧବାର ରାତିରେ ଶୋଇବା ପୂର୍ବରୁ ଔଷଧ ଖାଇଥିଲେ । କିନ୍ତୁ ଗୁରୁବାର ସକାଳୁ ସେ ଆଉ ଉଠି ପାରି ନଥିଲେ । ହସ୍ପିଟାଲ ନିଆଯିବା ପରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଡାକ୍ତର କହିଥିଲେ । ପରଲୋକ ପରେ ସିଦ୍ଧାର୍ଥଙ୍କ ମୃତଦେହ ପୋଷ୍ଟମର୍ଟମ କରାଯାଇଛି । ସିଦ୍ଧାର୍ଥଙ୍କ ଶରୀରକୁ ୩ ଥର ପରୀକ୍ଷା କରାଯାଇଥିଲା । କିନ୍ତୁ ଶରୀରରେ କୌଣସ କ୍ଷତ ଚିହ୍ନ ନଥିଲା । ମୃତଦେହକୁ ୩ ଘଣ୍ଟା ପର୍ଯ୍ୟନ୍ତ ପୋଷ୍ଟମର୍ଟମ ହୋଇଥିଲା । ଅନେକ ଟିଭି କଳାକାର ଓ ବଲିଉଡ ଜଗତର ଅଭିନେତା ସିଦ୍ଧାର୍ଥଙ୍କ ଘରେ ଉପସ୍ଥିତ ଅଛନ୍ତି । ମାତ୍ର ୪୦ ବର୍ଷ ବୟସରେ ସିଦ୍ଧାର୍ଥଙ୍କ ମୃତ୍ୟୁ ଯୋଗୁଁ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଶ୍ରଦ୍ଧାଞ୍ଜଳୀ ଜଣାଉଛନ୍ତି।
ପୋଲିସ କହିବା ଅନୁସାରେ ଗୁରୁବାର ଭୋର ସାଢ଼େ ୩ଟାରେ ସିଦ୍ଧାର୍ଥ ଉଠିଥିଲେ । ଅଭିନେତା ନିଜର ମା’ଙ୍କୁ କହିଥିଲେ ଯେ, ଛାତିରେ ଯନ୍ତ୍ରଣା ଅନୁଭବ ହେଉଛି । ଏହା ପରେ ମା’ ପାଣି ପିଇବାକୁ ଦେଇଥିଲେ ଏବଂ ଶୋଇବାକୁ ପରାମର୍ଶ ଦେଇଥିଲେ । ଗୁରୁବାର ମା’ ରୀଟା ସିଦ୍ଧାର୍ଥଙ୍କୁ ଉଠାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଏଥିରେ ସେ ସଫଳ ହୋଇ ନଥିଲେ । ମା’ ଏହା ପରେ ଝିଅଙ୍କୁ ଫୋନ୍ କରିଥିଲେ । ଝିଅ ଓ ଜ୍ୱାଇଁ ମିଶି ସିଦ୍ଧାର୍ଥଙ୍କୁ ମୁମ୍ବାଇସ୍ଥିତ କୂପର ହସ୍ପିଟାଲ ନେଇଯାଇଥିଲେ । କିନ୍ତୁ ହସ୍ପିଟାଲରେ ସିଦ୍ଧାର୍ଥଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଆମ୍ବୁଲାନ୍ସରେ ସିଦ୍ଧାର୍ଥଙ୍କୁ କୂପର ହସ୍ପିଟାଲ ସକାଳ ୯ଟା ୪୦ରେ ନିଆଯାଇଥିଲା । ଏହି ସମୟରେ ତାଙ୍କ ସାଥୀରେ ଭଉଣୀ, ଭିଣୋଇ, ଭଣଜା ଏବଂ ୩ ଜଣ ବନ୍ଧୁଥିଲେ । ପାଖାପାଖି ୧୦ଟା ୧୫ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
