ପୌର ନିର୍ବାଚନ ମାମଲା : ନିର୍ବାଚନ କମିସନ ଓ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ
- ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ନିର୍ଦ୍ଦେଶ
କଟକ : ହାଇକୋର୍ଟରେ ପୌର ନିର୍ବାଚନ ମାମଲା । ରାଜ୍ୟର ବିଭିନ୍ନ ପୌରାଞ୍ଚଳର ନିର୍ବାଚନ ବିଳମ୍ବ ପ୍ରସଂଗକୁ ନେଇ ଦାୟର ତିନୋଟି ପୃଥକ ମାମଲାର ହାଇକୋର୍ଟ ଏକତ୍ର ଶୁଣାଣି କରିଛନ୍ତି। ଶୁଣାଣି ପରେ ରାଜ୍ୟ ନିର୍ବାଚନ କମିସନ ଓ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । ପୂର୍ବତନ ମନ୍ତ୍ରୀ ସମୀର ଦେ, ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଓ ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରସନ୍ନ କୁମାର ମିଶ୍ରଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରି ୪ସପ୍ତାହ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲା ପରିଚାଳନା କରୁଛନ୍ତି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ । କଟକ, ପୁରୀ ଓ ଭୁବନେଶ୍ୱରରେ ପୌରାଞ୍ଚଳ ନିର୍ବାଚନ ପାଇଁ ତୁରନ୍ତ ବିଜ୍ଞପ୍ତି ପ୍ରକାଶ ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା। ପୌର ପରିଷଦର ନିର୍ବାଚିତ ସଦସ୍ୟଙ୍କ ୫ ବର୍ଷିଆ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିର୍ବାଚନ ହେବା କଥା। କିନ୍ତୁ ଇତି ମଧ୍ୟରେ ତିନି ବର୍ଷ ବିତିବାକୁ ବସିଥିବା ବେଳେ ପୌର ନିର୍ବାଚନ କରାଯାଉ ନାହିଁ। ରାଜ୍ୟ ସରକାରଙ୍କ ଚାପରେ ରାଜ୍ୟ ନିର୍ବାଚନ କମିସନ୍ ପୌର ନିର୍ବାଚନ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ।
ସୂଚନା ଯେ, ପୁର୍ବରୁ ପୌର ନିର୍ବାଚନ ବିଳମ୍ବ ହେବା ନେଇ ରାଜ୍ୟ ସରକାର ଏବଂ ନିର୍ବାଚନ କମିଶନଙ୍କ ଉପରେ ବର୍ଷିଥିଲା ବିଜେପି । ଏପରିକି ରାଜ୍ୟ ନିର୍ବାଚନ କମିଶନ ନିଜେଡି ସରକାରଙ୍କ ନିର୍ଦେଶ ଅନୁଯାୟୀ କାର୍ଯ୍ୟ କରୁଛି ବୋଲି ଅଭିଯୋଗ କରିଥିଲେ । ପାଞ୍ଚଟି ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ୧୦୯ ଟି ପୌରସଂସ୍ଥା ଏବଂ ବିଜ୍ଞପ୍ତି କ୍ଷେତ୍ର ପରିଷଦକୁ ମତଦାନ ସେପ୍ଟେମ୍ବର ୨୦୧୮ ଠାରୁ ହୋଇନାହିଁ । କେତେକ ପୌର ସଂସ୍ଥାର କାର୍ଯ୍ୟକାଳ ସେପ୍ଟେମ୍ବର ୨୦୧୮ ରେ ଶେଷ ହୋଇଥିଲା ଏବଂ ସେଠାରେ କୌଣସି ଜନ ପ୍ରତିନିଧୀ ନାହାଁନ୍ତି ବୋଲି ବିଜେପିର ବରିଷ୍ଠ ନେତା ପିତାମ୍ବର ଆଚାର୍ଯ୍ୟ ଗଣମାଧ୍ୟମକୁ କହିଥିଲେ । ଏହା ସହିତ ସେ କହିଥିଲେ ଯେ “ଗଣତନ୍ତ୍ର ପାଇଁ ଏହା ଏକ ଭଲ ସଙ୍କେତ ନୁହେଁ। ନାଗରିକ ମତଦାନ ଶୀଘ୍ର କରାଯିବା ଉଚିତ।”
