ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର
- ଦୀର୍ଘ ୪ମାସ ପରେ ଶ୍ରଦ୍ଧାଳୁଙ୍କୁ ମିଳିବ ଦର୍ଶନ
- ଭକ୍ତଙ୍କ ଦର୍ଶନ ନେଇ ଏସଓପି ଜାରି
ଭଦ୍ରକ : ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର । ଦୀର୍ଘ ୪ମାସ ପରେ ଆଜିଠୁ ଖୋଲିଲା ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର । ଭକ୍ତଙ୍କ ଦର୍ଶନ ନେଇ ଜିଲା ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି । କୋଭିଡ କଟକଣା ମାନି ଶ୍ରଦ୍ଧାଳୁମାନେ ବାବାଙ୍କୁ ଦର୍ଶନ କରୁଛନ୍ତି। ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟାରିକେଡ଼ ନିର୍ମାଣ କରାଯାଇଛି। ଶ୍ରଦ୍ଧାଳୁମାନେ ମନ୍ଦିର ମଧ୍ୟରୁ କୌଣସି ପୂଜାସାମଗ୍ରୀ, ଭୋଗ ଫୁଲ ଆଦି ନନେବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏଥିସହ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି ।
ମହାମାରୀ କରୋନା ଭୟଭୟତାକୁ ନେଇ ଦୀର୍ଘ ୪ମାସ ହେବ ବନ୍ଦ ରହିଥିଲା ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ହେଲେ ଏବେ ସଂକ୍ରମଣ ହ୍ରାସ ପାଇଥିବାରୁ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନକୁ ଖୋଲିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ। ହେଲେ ପବିତ୍ର ଶ୍ରାବଣୀ ଜଳାଭିଷେକ ନୀତି ରହିଥିବାରୁ ମନ୍ଦିର ଖୋଲିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନୁମତି ମିଳିନଥିଲା। ତେବେ ମନ୍ଦିର ସାନିଟାଇଜ ପାଇଁ ପ୍ରତି ଶନିବାର ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ୧୦ ବର୍ଷରୁ କମ ଓ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ ବାରଣ କରାଯାଇଛି । ମନ୍ଦିର ମଧ୍ୟକୁ ଭୋଗ କିମ୍ବା କୌଣସି ପୂଜା ସାମଗ୍ରୀ ନେବାକୁ ବାରଣ କରାଯାଇଛି । ସମସ୍ତେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ଅବଲମ୍ବନ କରି ବାବାଙ୍କୁ ଦର୍ଶନ କରିବେ । ସେହିପରି ପ୍ରତି ଶନିବାର ସାଧାରଣ ଦର୍ଶନ ବନ୍ଦ ରହିବ । ପୂର୍ବରୁ ମନ୍ଦିର ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ଶ୍ରାବଣ ମାସକୁ ଦୃଷ୍ଟିରେ ରଖି ମନ୍ଦିର ବନ୍ଦ ରହିଥିଲା ।
