୨୩ରୁ ଖୋଲିବ ବାବା ଆଖଣ୍ଡଳମଣି ମନ୍ଦିର
ଭଦ୍ରକ : ଭଦ୍ରକ ଜିଲାର ବାବା ଆଖଣ୍ଡଳ ମଣି ଶ୍ରଦ୍ଧାଳୁ ମାନଙ୍କର ଅଗାଢ ଭକ୍ତି ଭରା ଅପେକ୍ଷାର ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି। କରୋନାର ନିୟମ ଅନୁଯାୟୀ ଦୀର୍ଘଦିନ ହେଲା ସମସ୍ତ ମନ୍ଦିର ମାନ ବନ୍ଦ ହୋଇଥିଲା। ମାତ୍ର କରୋନା ସାମାନ୍ୟ କମିବା ଏବଂ ଅନଲକ ପ୍ରକ୍ରିୟାରେ ଧୀରେ ଧୀରେ ସମସ୍ତ ମନ୍ଦିର ଖୋଇବାକୁ ଲାଗିଛି । ସରକାରଙ୍କର ନିଷ୍ପତି ଯୋଗେ ଟ୍ରଷ୍ଟ ବୋର୍ଡ, ସେବାୟତଙ୍କ ସହ ଆଲୋଚନା ପରେ ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ଖୋଲାଯିବ। ଏଭଳି ଖବର ପାଇ ସ୍ଥାନୀୟ ଅଞ୍ଚଳରେ ବାବା ଆଖଣ୍ଡଳ ମଣି ଭକ୍ତ ମାନଙ୍କ ମନରେ ଆନନ୍ଦ ଉଲ୍ଲାସ ଖେଳିଥିବା କୁହାଯାଉଛି।
କରୋନା କଟକଣା ମଧ୍ୟରେ ଆରଡ଼ି ସ୍ଥିତ ବାବା ଆଖଣ୍ଡଳମଣି ମନ୍ଦିର ଆସନ୍ତା ୨୩ ତାରିଖ ଠାରୁ ଖୋଲିବାକୁ ଯାଉଛି । ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ମନ୍ଦିରଗୁଡିକ ଭକ୍ତମାନଙ୍କ ପାଇଁ ଖୋଲା ରହିବ । କିନ୍ତୁ ଆଖଣ୍ଡଳମଣି ମନ୍ଦିରକୁ ସାନିଟାଇଜ୍ କରାଯିବା ପାଇଁ ଶନିବାର ବନ୍ଦ ରହିବ । ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ କରିପାରିବେ, କିନ୍ତୁ କୌଣସି ମୂର୍ତ୍ତି ଛୁଇଁ ପାରିବେ ନାହିଁ। ମନ୍ଦିର ପରିସରରେ ପ୍ରସାଦ ସେବନ, ବିବାହ, ବ୍ରତଘର କିମ୍ବା କୌଣସି କାର୍ଯ୍ୟକ୍ରମ କରିବାକୁ ଅନୁମତି ମିଳିପାରି ନାହିଁ । ସେହିପରି ମନ୍ଦିର ଭିତରେ ଓ ବାହାରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। କେବଳ ଏହି ଗୋଟଏ ମନ୍ଦିର ନୁହେଁ ଜିଲ୍ଲାର ଅନ୍ୟ ସମସ୍ତ ଧାର୍ମିକ ଅନୁଷ୍ଠାନଗୁଡିକୁ ବି ଭକ୍ତଙ୍କ ପାଇଁ ଖୋଲାଯିବାକୁ ଭଦ୍ରକ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।
