ସୁଧାଂଶୁବାଳା ସାହୁଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ
କଟକ: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ (ଓଏସ୍ଏସସି) ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ପତ୍ନୀ ସୁଧାଂଶୁବାଳା ସାହୁଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ ମିଳିଛି। ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ବିରଞ୍ଚିଙ୍କୁ ଆୟ ବହିର୍ଭୂତ ସଂପତ୍ତି ଠୁଳ ପାଇଁ ପତ୍ନୀ ଓ ସଢୁ ସହାୟତା କରିଥିବା ଅଭିଯୋଗ ରହିଛି। ପତ୍ନୀଙ୍କ ନାଁରେ ବିପୁଳ ପରିମାଣର ସଂପତ୍ତି ଠାବ ହୋଇଥିବା ବେଳେ ସଢୁଙ୍କ ଘରୁ ୧୩ ଲକ୍ଷ ଟଙ୍କା ମିଳିଥିଲା।
ସୂଚନା ଯେ, ଓଏସ୍ଏସସିରୁ ବିଦା ହୋଇଥିବା ସଦସ୍ୟ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ବିରଞ୍ଚିଙ୍କ ଘରୁ ୩ କୋଟି ୭୯ ଲକ୍ଷର ସଂପତ୍ତି ଜବତ ସହ ନଗଦ ୨୫ ଲକ୍ଷ ଟଙ୍କା ଓ ଦେଢ଼ କେଜି ସୁନା ଗହଣା ଜବତ ହୋଇଥିଲା । ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି ନୀଳାଦ୍ରିବିହାରରେ ୨ଟି ଦୁଇ ମହଲା ଘର, ଭୁବନେଶ୍ବର ଭକ୍ତିବିହାର ଓ କଟକ କୋଡିଆବନ୍ଧରେ ୨ଟି ଏକ ମହଲା ଘର । ଭୁବନେଶ୍ବର, ଖୋର୍ଦ୍ଧା ଓ ପୁରୀରେ ରହିଛି ୧୪ଟି ପ୍ଲଟ୍ । ଗୋଟିଏ କାର୍, ୨ଟି ବାଇକ୍, ୫୬ଲକ୍ଷ ଟଙ୍କାର ଜୀବନବୀମା, ଦେଢ଼ କେଜି ସୁନା । ଏହା ବ୍ୟତୀତ ତାଙ୍କ ଘରୁ ନଗଦ ୧୨ ଲକ୍ଷ ଟଙ୍କା ଓ ତାଙ୍କ ଶଳାଙ୍କ ଘରୁ ୧୩ ଲକ୍ଷ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।
