ଆଦିତ୍ୟ ଦାସ ମୃତ୍ୟୁ ମାମଲା: ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ବିଦ୍ୟାଶ୍ରୀ
କଟକ : ସାମାଜିକ କର୍ମୀ ତଥା ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼ । ସିବିଆଇ ତଦନ୍ତ ନେଇ ହାଇକୋର୍ଟରେ ଦାୟର ମାମଲାକୁ ପତ୍ନୀ ବିଦ୍ୟାଶ୍ରୀ ପ୍ରତ୍ୟାହାର କରିଛନ୍ତି। ବିଦ୍ୟାଶ୍ରୀଙ୍କ ପକ୍ଷରୁ ଏକ ଉତ୍କୃଷ୍ଟ ଓ ପୃଥକ ଆବେଦନ ଦାଖଲ କରାଯିବ ବୋଲି ତାଙ୍କ ଆଇନଜୀବୀ କହିଥିଲେ । ଖଣ୍ଡପୀଠ ଏଥିପାଇଁ ଅନୁମତି ଦେଇଛନ୍ତି । ଏହାପରେ ବିଦ୍ୟାଶ୍ରୀ ପୁଣି କେବେ ପୃଥକ୍ ଆବେଦନ କରିବେ ତା ଉପରେ ସମସ୍ତଙ୍କ ନଜର ରହିଛି ।
ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଦିତ୍ୟଙ୍କ ମା ପଦ୍ମାଳୟା ଦାସ, ବାପା ନନ୍ଦିକିଶୋର ଦାସ ଓ ପତ୍ନୀ ବିଦ୍ୟାଶ୍ରୀଙ୍କ ପକ୍ଷରୁ ମିଳିତ ଭାବେ ଦାୟର ଆବେଦନର ଶୁଣାଣି ସମୟରେ ଆବେଦନକାରୀ ନମ୍ବର-୩ ବିଦ୍ୟାଶ୍ରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ସେ ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି। ବିଦ୍ୟାଶ୍ରୀଙ୍କ ପକ୍ଷରୁ ଏକ ଉତ୍କୃଷ୍ଟ ଓ ପୃଥକ ଆବେଦନ ଦାଖଲ କରାଯିବ ବୋଲି ତାଙ୍କ ଆଇନଜୀବୀ କହିଥିଲେ। ଖଣ୍ଡପୀଠ ଏଥିପାଇଁ ଅନୁମତି ଦେଇଥିଲେ। ଏଥି ସହିତ ବିଦ୍ୟାଶ୍ରୀଙ୍କ ସଂକ୍ରାନ୍ତୀୟ ମାମଲାର ଶୁଣାଣିରେ ଖଣ୍ଡପୀଠ ପୂର୍ଣ୍ଣଚ୍ଛେଦ ପକାଇଥିଲେ। ମାତ୍ର ଆଦିତ୍ୟଙ୍କ ମା’ ପଦ୍ମାଳୟା ଦାସ ଓ ବାପା ନନ୍ଦକିଶୋର ଦାସଙ୍କ ଆବେଦନର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୪ରେ କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ପିପୁଲ ଫର୍ ସେବା ଅନୁଷ୍ଠାନର ଏମ୍. ବେହେରାଙ୍କ ପକ୍ଷରୁ ମଧ୍ୟ ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ଦର୍ଶାଇ ଦାୟର ପୃଥକ ମାମଲାର ଅଗଷ୍ଟ ୨୪କୁ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଦୁଇ ମାମଲାର ଏକତ୍ର ଶୁଣାଣି ଚାଲିଛି। ସୂଚନା ଯେ, ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାକୁ ବର୍ଷେରୁ ଉର୍ଦ୍ଧ୍ୱ ସମୟ ହେଲାଣି ମାତ୍ର ଏପର୍ଯ୍ୟନ୍ତ ରାଜ୍ୟ କ୍ରାଇମବ୍ରାଞ୍ଚ ଏହି ମାମଲାର ଖିଅ ଖୋଜି ପାଉନି । ପ୍ରକୃତରେ ଏହା ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ବାରମ୍ବାର ଗଣମାଧ୍ୟମରେ ପ୍ରଶ୍ନ ଉଠିବା ପରେ ଗୋଟିଏ ପ୍ରକାର ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ରଖିଛି ଏହି ମାମଲା । ଯାହାକୁ ନେଇ ମୃତ ଆଦିତ୍ୟ ଦାସଙ୍କ ପରିବାର ଲୋକ ମଧ୍ୟ ରାଜ୍ୟ ସରକାରଙ୍କ ତଦନ୍ତ ପ୍ରକ୍ରିୟା ଉପରୁ ଆସ୍ଥା ହରାଇ ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
