ଭିମସାରରେ ୨ ଶିଶୁ କରୋନା ପଜିଟିଭ୍ ଚିହ୍ନଟ
ସମ୍ବଲପୁର : ରାଜ୍ୟରେ ମହାମାରୀର କରୋନା ଦ୍ୱିତୀୟ ଲହର ସଂକ୍ରମଣରେ ସାମାନ୍ୟ କମିଥିବା ବେଳେ ତୃତୀୟ ଲହର ଆତଙ୍କ ଦେଖା ଦେଲାନି । ତୃତୀୟ ଲହରର ସର୍ବାଧିକ ପ୍ରଭାବ ଛୋଟ ଛୁଆ ତଥା ଶିଶୁ ମାନଙ୍କ ଉପରେ ପଡିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଥିବା ବେଳେ ରାଜ୍ୟସରକାରଙ୍କ ପକ୍ଷ ଏନେଇ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଇଛି । ଏହାରି ମଧ୍ୟରେ ଶନିବାର ସମ୍ବଲପୁର ସ୍ଥିତ ବୁର୍ଲା ଭିମସାରରେ ଦୁଇ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ଜଣେ ୮ ମାସର ଶିଶୁ ଓ ଅନ୍ୟ ଜଣେ ୫ ବର୍ଷର ଶିଶୁ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ଭିମାସାର ଅଧୀକ୍ଷକ ସୂଚନା ଦେଇଛନ୍ତି ।
ବର୍ତ୍ତମାନ ଭିମସାରର ସ୍ୱତନ୍ତ୍ର ଚାଇଲ୍ଡ କୋଭିଡ୍ ୱାର୍ଡରେ ଉଭୟଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଦୁହେଁ ଆଣ୍ଟିଜେନ୍ ଟେଷ୍ଟରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତୃତୀୟ ଲହରକୁ ନେଇ ରାଜ୍ୟରେ ପୂର୍ବ ପ୍ରସ୍ତୁତି ଜାରି ରହିଥିବା ବେଳେ ଏବେଠାରୁ ଶିଶୁ ମାନଙ୍କ ଉପରେ କରୋନାର ଏଭଳି କୋପ ସାଧାରଣ ଲୋକଙ୍କ ମନରେ ଛନକା ସୃଷ୍ଟି କରିଛି । ଏହାପରେ ରାଜ୍ୟରେ ଏବେ ତୃତୀୟ ଲହରର ଭୟ ଦ୍ୱିଗୁଣିତ ହୋଇଛି ।
