ମହାରାଷ୍ଟ୍ରରେ ଡେଲଟା ପ୍ଲସ ଆତଙ୍କ : ୬୬ ସଂକ୍ରମିତ, ୫ ମୃତ
ମୁମ୍ବାଇ : ମହାରାଷ୍ଟ୍ରରେ କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟ ବଢ଼ିବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏଥିରେ ୬୬ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୫ ଜଣଙ୍କର ମୃତ୍ୟୁ ନେଇ ଖବର ମିଳିଛି । ଏହାସହ। ଉକ୍ତ ୬୬ ସଂକ୍ରମିତଙ୍କ ମଧ୍ୟରୁ କିଛି ଜଣ ଟିକାର ୨ଟ ଯାକ ପାନ ନେଇଥିବାର ସ୍ୱାସ୍ଥ୍ୟ ବିଭାଗ ଏନେଇ ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରୁ ରତ୍ନଗିରିରେ ଦୁଇଟି ଏବଂ ମୁମ୍ବାଇ, ବିଡ୍ ଏବଂ ରାୟଗଡରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତ ବ୍ୟକ୍ତିଙ୍କ ବୟସ ୬୫ବର୍ଷରୁ ଅଧିକ ଥିଲା ଏବଂ ସେମାନଙ୍କର ଅନ୍ୟ ଗମ୍ଭୀର ଶରୀରିକ ସମସ୍ୟା ଥିଲା ବୋଲି ଜଣାପଡ଼ିଛି। ପାଞ୍ଚ ଜଣଙ୍କ ମଧ୍ୟରୁ ଦୁଇଜଣ କରୋନା ଟିକାର ଦୁଇଟି ଡୋଜ ନେଇଥିବା ବେଳେ ଅନ୍ୟ ଦୁଇଜଣ ଗୋଟିଏ ଡୋଜ ନେଇଥିଲେ। ଅନ୍ୟ ଜଣେ ବ୍ୟକ୍ତି ଟିକା ଗ୍ରହଣ କରିଥିଲେ କି ନାହିଁ ତାହାର କୌଣସି ସୂଚନା ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି ।
ସୂଚନା ଯେ, ମହାରାଷ୍ଟ୍ରରେ ଆଜି ପର୍ଯ୍ୟନ୍ତ ମୋଟ ୬୬ଜଣ ଡେଲଟା ପ୍ଲସ୍ ଭାରିଆଣ୍ଟ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଅଗଷ୍ଟ ୮ ରେ ଏହି ସଂଖ୍ୟା ୪୫ ଥିଲା । ରାଜ୍ୟରୁ ଚିହ୍ନଟ ହୋଇଥିବା ୨୦ ଟି ନୂଆ ମାମଲା ମଧ୍ୟରୁ ୭ଜଣ ମୁମ୍ବାଇରୁ ଏବଂ ୩ଜଣ ପୁଣେରୁ ଥିବା ଜଣାପଡ଼ିଛି।୬୬ ସଂକ୍ରମିତଙ୍କ ମଧ୍ୟରେ ୩୨ ଜଣ ପୁରୁଷ ଓ ୨୪ ଜଣ ମହିଳା ରହିଛନ୍ତି। ୩୩ ଜଣ ସଂକ୍ରମିତ ୪୫ ବର୍ଷର ଥିବା ବେଳେ ୪୬ ରୁ ୬୦ ବର୍ଷ ମଧ୍ୟରେ ୧୮ ଜଣ ଆକ୍ରାନ୍ତ ରହିଛନ୍ତି। ୧୮ ବର୍ଷରୁ କମ ୭ ଜଣ ଥିବା ବେଳେ ୬୦ ବର୍ଷରୁ ଅଧିକ ୮ ଜଣ ଆକ୍ରାନ୍ତ ରହିଛନ୍ତି।
