ଶନିବାର ଓ ରବିବାର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ନନ୍ଦନକାନନ
ବାରଙ୍ଗ : ଏଣିକି ସପ୍ତାହର ୫ ଦିନ ଖୋଲାରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଶନିବାର ଓ ରବିବାର ବନ୍ଦ ରହିବ ନନ୍ଦନକାନନ । କରୋନା ସଂକ୍ରମଣ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ କୋଭିଡ-୧୯ ଗାଇଡଲାଇନକୁ ନଜରରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ସବୁ ଶନିବାର ଓ ରବିବାର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ସେହିପରି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ ସୋମବାରରୁ ଶୁକ୍ରବାର ସକାଳ ୭ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ଯାଏଁ ଖୋଲା ରହିବ । ସମସ୍ତ ପର୍ଯ୍ୟଟକ କୋଭିଡ ଗାଇଡଲାଇନକୁ ମାନିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ରାଜ୍ୟ ସରକାର ଓ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟସାରଣୀକୁ ମାନିବାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପ ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି ।
ସୂଚନା ଯେ, ଦୀର୍ଘଦିନର ବ୍ୟବଧାନ ପରେ କୋଭିଡ କଟକଣା ମଧ୍ୟରେ ଗତ ୩ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ । ଦୀର୍ଘ ୩ ମାସ ପରେ ଚିଡିଆଖାନା ବୁଲିଥିଲେ ପର୍ଯ୍ୟଟକ। ତେବେ କରୋନା କଟକଣା ମଧ୍ୟରେ ପର୍ଯ୍ୟଟକକୁ ସୀମିତ ସଂଖ୍ୟାରେ ପ୍ରବେଶ କରିବାକୁ ଅନୁମତି ମିଳିଥିଲା । ଚିଡିଆଖାନା ଭିତରେ ବୁଲିବା ପାଇଁ ବ୍ୟାଟେରୀ ଚାଳିତ ଗାଡ଼ିକୁ ଅନୁମତି ମିଳିନାହିଁ । ଏମିତି କି ବୋଟିଂ ପାଇଁ ମଧ୍ୟ ଅନୁମତି ଦିଆଯାଇନାହିଁ । ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ନନ୍ଦନକାନନ ଭିତରକୁ ଛଡ଼ାଯାଉଛି । ନନ୍ଦନକାନନ ଖୋଲିବା ନେଇ ରାଜ୍ୟ ସରକାର ଅଗଷ୍ଟ ମାସର ଗାଇଡ୍ ଲାଇନ୍ ରେ ଅନୁମତି ମିଳିଥିଲା । ମୁଖ୍ୟ ଗେଟରେ ଥର୍ମାଲ ସ୍କ୍ରିନିଂ, ସାନିଟାଇଜ ବାଧ୍ୟତାମୂଳକ କରାଯାଇଛି । ପର୍ଯ୍ୟଟକଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ବ ରଖିବାକୁ ନିର୍ଦ୍ଦେଶ ରହିଛି । ସେହିପରି ବଟାନିକାଲ ଗାର୍ଡେନ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମଧ୍ୟ କରୋନା କଟକଣା ମାନିବେ । ତେବେ ବର୍ତ୍ତମାନ ବଟାନିକାଲ ଗାର୍ଡେନରେ ବଣଭୋଜିକୁ ବନ୍ଦ ରଖାଯାଇଛି ।
