ରାଜରାସ୍ତାରେ ଆଣ୍ଠେଇବା ସହ କାନ ଧରି ନିଯୁକ୍ତି ଦାବିରେ ଅଭିନବ ପ୍ରତିବାଦ କଲେ ଆଶାୟୀ
ଭୁବନେଶ୍ୱର : ନିଯୁକ୍ତି ଦାବିରେ ଆଜି ରାଜଧାନୀର ରାଜରାସ୍ତାରେ ଓଏସଏସଟିଇଟି ପରୀକ୍ଷାରେ ପାସ୍ କରିଥିବା ଟ୍ରେଣ୍ଡ ଯୁବକ ଯୁବତୀ ଅଭିନବ ପ୍ରତିବାଦ । ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ଆଣ୍ଠେଇ ଓ କାନ ଧରି ପ୍ରତିବାଦ କରିଛନ୍ତି । ଏଥିସହିତ ଚାକିରି ପାଇଁ ନିବେଦନ କରି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ । ଏମାନେ ହିନ୍ଦୀ, ସଂସ୍କୃତ ଏବଂ କ୍ରୀଡ଼ା ଶିକ୍ଷକ ନିଯୁକ୍ତି ପାଇଁ ଆନ୍ଦୋଳନ କରିଛନ୍ତି। ଏମାନଙ୍କ ଅଭିଯୋଗ ଅନୁସାରେ ଦୀର୍ଘ ୭ବର୍ଷ ହେଲା ବିଭିନ୍ନ ସମୟରେ ଏମାନେ ଧାରଣା ଦେଇ ଅଭିଯୋଗ ଜଣାଉଛନ୍ତି, ହେଲେ ନିଯୁକ୍ତି ମିଳୁନାହିଁ। ଓଏସ୍ଏସ୍ଟିଇଟି କ୍ୱାଲିଫାଇଡ୍ ହିନ୍ଦୀ, ସଂସ୍କୃତ ଓ ପିଇଟି ଟ୍ରେନ୍ଡ୍ ଅନଏମ୍ପ୍ଲଏଡ୍ ଟିଚର୍ସ ଆସୋସିଏସନ୍ ପକ୍ଷରୁ ଆଜି ଏପରି ଅଭିନବ ପ୍ରତିବାଦ କରାଯାଇଛି।
ଦୀର୍ଘ ଦିନର ଅପେକ୍ଷା ପରେ ୪ହଜାର ୪୪୫ ହିନ୍ଦୀ, ସଂସ୍କୃତ ଏବଂ କ୍ରୀଡ଼ା ଶିକ୍ଷକ ନିଯୁକ୍ତି ପାଇଁ ଅର୍ଥ ମଂଜୁର ଓ ୪ମାସ ମଧ୍ୟରେ ଶିକ୍ଷକ ନିଯୁକ୍ତି ନେଇ ସୁଚନା ଥିବାବେଳେ ୭ ମାସ ବିତିଯାଇଥିଲେ ମଧ୍ୟ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇନଥିବା ନେଇ ଆଶାୟୀ ଛାତ୍ରଛାତ୍ରୀମାନେ ଅଭିଯୋଗ ହୋଇଛି। ସେମାନଙ୍କ କହିବା ଅନୁସାରେ ୨୦୧୪ରୁ ୨୦୨୧ ମସିହା ମଧ୍ୟରେ ରାଜ୍ୟ ସରକାର ନିଯୁକ୍ତି ନେଇ କୌଣସି ବିଜ୍ଞାପନ ବାହାର କଲେନାହିଁ। ତାଲିମ ପ୍ରାପ୍ତ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ନିଯୁକ୍ତି ମିଳୁନାହିଁ। ରାଜ୍ୟ ସରକାରଙ୍କ ଏପରି ନୀତି ବିରୋଧରେ ଶିକ୍ଷିତ ବେକାର ଯୁବକ ଓ ଯୁବତୀମାନେ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ରେ ଏକତ୍ର ହୋଇଥିଲେ। ପରେ ବିଶାଳ ଶୋଭାଯାତ୍ରାରେ ଯାଇ ଗାନ୍ଧୀ ମାର୍ଗରେ ଆଣ୍ଠେଇ ପ୍ରତିବାଦ କରିଛନ୍ତି। ୫ ଦଫା ଦାବି ପୂରଣ ପାଇଁ ଦାବି କରିଛନ୍ତି। ଦାବି ଗଡ଼ିକ ମଧ୍ୟରେ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୭ ବର୍ଷରୁ ଖାଲି ପଡିଥିବା ହିନ୍ଦୀ, ସଂସ୍କତ ଓ କ୍ରୀଡା ଶିକ୍ଷକ ପଦବୀ ପୂରଣ ପାଇଁ ତୁରନ୍ତ ବିଜ୍ଞାପନ ବାହାର କରାଯାଉ, ସଂରକ୍ଷିତ ପଦବୀ ଗୁଡିକ ଖାଲି ପଡିଲେ ସେ ଗୁଡ଼ିକୁ ସବର୍ଣ୍ଣମାନଙ୍କ ଦ୍ୱାରା ପୂର୍ଣ୍ଣ କରାଯାଉ; ଅନ୍ୟ ପ୍ରତିଯୋଗିତା ପରୀକ୍ଷାର ପ୍ରଶ୍ନପତ୍ର ଭଳି ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ମାଧ୍ୟମରେ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଉ; ପରୀକ୍ଷାର ମୂଲ୍ୟାୟନ ଦୁଇଭାଗରେ ବିଭକ୍ତ ନକରି ସମ୍ପୂର୍ଣ୍ଣ ମାର୍କକୁ ନେଇ ପାସ୍ ମାର୍କ ନିର୍ଦ୍ଧାଣ କରାଯାଉ ପ୍ରମୁଖ ରହିଛି।
