ଲଗାଣ ବର୍ଷାରେ ଭାସିଗଲା ଅସ୍ଥାୟୀ ପୋଲ, ତିନି ଗ୍ରାମ ସହ ଯୋଗାଯୋଗ ବିଚ୍ଛିନ୍ନ
ମୋହନା : ଗଜପତି ଜିଲା ମୋହନା ବ୍ଲକ ମାଣ୍ଡିମେରା ପଞ୍ଚାୟତର ବନ୍ଧାଗୁଡା ନିକଟରେ ଥିବା ହରଭଙ୍ଗୀ ନଦୀରେ ବଢୁଛି ଜଳସ୍ତର । ଲଗାଣ ବର୍ଷାର ପ୍ରଭାବରେ ଭାସିଗଲା ଅସ୍ଥାୟୀ ପୋଲ । ଫଳରେ ପୋଲ ଭାଙ୍ଗିବା ଯୋଗୁଁ ତିନି ଖଣ୍ଡ ଗ୍ରାମବାସୀ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି । ଚାରିଆରେ ନଦୀ ପାଣି ବନ୍ୟା ସୃଷ୍ଟି କରିଥିବା ବେଳେ ପୋଲ ଭାଙ୍ଗିବା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ସୂଚନା ଅନୁଯାୟୀ ହରଭଙ୍ଗୀ ନଦୀ ଉପରେ ଅଞ୍ଚଳବାସୀ ଏକ ଅସ୍ଥାୟୀ କାଠ ପୋଲ ନିର୍ମାଣ କରିଥିଲେ । ତିନି ଖଣ୍ଡ ଗ୍ରାମବାସୀ ଉକ୍ତ ପୋଲ ଉପରେ ନିର୍ଭର କରନ୍ତି । କିନ୍ତୁ ଲଗାଣ ବର୍ଷାରେ ଧୋଇ ହୋଇ ଯାଇଛି ଉକ୍ତ କାଠ ପୋଲଟି। ଫଳରେ ଲୋକେ ଏକ ଶୁଖିଲା କାଠ ଗଣ୍ଡି ଉପର ଦେଇ ନଦୀ ପାର ହେଉଛନ୍ତ ତ ଆଉ କିଛି ଲୋକ ବିପଦ ସଙ୍କୁଳ ଅବସ୍ଥାରେ ଭରା ନଦୀ ପାର ହୋଇ ଆସୁଛନ୍ତି । ନଦୀ ଆରପାରିରେ ଲିମ୍ବଡ, ମାଥାକୁପା, ବିଯାପୁର ଭଳିଅନେକ ଗାଁ ରହିଛି । ଅତିଶୀଘ୍ର ବିକଳ୍ପ ବ୍ୟବସ୍ଥା ପାଇଁ ଦାବି କରିଛନ୍ତି ଲୋକେ ।
