ବିପଦ ସଙ୍କେତ ଉପରେ ବଂଶଧାରା, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ
ପାରଳାଖେମୁଣ୍ଡି : ଗଜପତି ଜିଲାରେ ବର୍ଷା ପରିମାଣ ବଢ଼ିବା ସହ ବିପଦ ମଧ୍ୟ ବଢ଼ିଛି। ଲଗାଣ ବର୍ଷା ସାରା ଜିଲ୍ଲାକୁ ପ୍ରଭାବିତ କରିଛି। ବର୍ଷା ପ୍ରଭାବରେ ଅହେତୁକ ଭାବେ ଫୁଲିବାରେ ଲାଗିଛି ବଂଶଧାରା। କାଶୀନଗର ଠାରେ ବିପଦ ସଂଙ୍କେତ ଟପିଛି। ଏଠାରେ ବିପଦ ସଂଙ୍କେତ ୫୪.୬୦ମିଟର ଥିବା ବେଳେ ୫୪.୯୦ମିଟରରେ ପ୍ରବାହିତ ହେଉଛି ଜଳସ୍ତର।
ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଉଛି । ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମରେ ଥିବା ଗୋଟା ବ୍ୟାରେଜର ୧୭ଟି ଗେଟ୍ ଖୋଲାଯିବାରୁ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବଂଶଧାରା ନଦୀ । ଗଜପତି ଜିଲ୍ଲାର କାଶୀ ନଗରଠାରେ ବିପଦ ସଂକେତ ପାର କରିଛି ବଂଶଧାରା ବଂଶଧାରାର ବିପଦ ସଂକେତ ୫୪.୬୦ ମିଟର ଥିବା ବେଳେ ବର୍ତମାନ ଏହ ୫୫.୧୦ ମିଟର ଉପରେ ପ୍ରବାହିତ ହେଉଛି।

ଉପର ମୁଣ୍ତରେ ଲଗାଣ ବର୍ଷା ଫଳରେ ବଂଶଧାରାରେ ବନ୍ୟା ଜଳ ପ୍ରବଳ ସୁଅରେ ପ୍ରବାହିତ ହେଉଛି। ଫଳରେ ବଂଶଧାରା ନଦୀ କାଶୀନଗର ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ବଂଶଧାରା ନଦୀର ବିପଦ ସଙ୍କେତ ୫୪. ୬୦ ମିଟର ଥିବା ବେଳେ ବୁଧବାର ସକାଳ ବେଳା ନଦୀର ଜଳପ୍ରବାହ ୫୧.୧୦ ମିଟର ରହିଥିଲା। କାଶୀନଗର ବ୍ଲକ୍ରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫.୪ ମିମି ବୃଷ୍ଟିପାତ ରେକର୍ଡ କରାଯାଇଛି। ଏଣୁ ଜଳସ୍ତର ଆହୁରି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।କାଶୀନଗରସ୍ଥିତ କେନ୍ଦ୍ରୀୟ ଜଳ ଆୟୋଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ବଂଶଧାରା ନଦୀ ବିପଦ ସଙ୍କେତ ସ୍ତରରେ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ଯଦି ବର୍ଷା ଲାଗି ରହେ ତେବେ ବନ୍ୟା ହେବା ଆଶଙ୍କା ରହିଛି। ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ନଦୀ ମୁହାଣରେ ଥିବା ବିଭିନ୍ନ ଗାଁ ପରିଦର୍ଶନ କରି ସ୍ଥିତି ଅନୁଧାନ କରୁଛନ୍ତି। ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବାକୁ ସେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ତେଣେ ନଦୀତଟବର୍ତ୍ତୀ ଇଲାକା ତଥା ତଳିଆ ଅଞ୍ଚଳରେ ପାଣି ପଶିବା ଆଶଙ୍କା ଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ପ୍ରଶାସନ ପକ୍ଷରୁ ବିଶେଷ କରି କାଶୀନଗର ବ୍ଲକ୍ର ବଂଶଧାରା ନଦୀ ଅବବାହିକାରେ ରହୁଥିବା ଗ୍ରାମର ବାସିନ୍ଦାଙ୍କୁ ସତର୍କ କରାଇ ଦିଆଯାଇଛି। ନଦୀର ତଳ ମୁଣ୍ଡ ଅର୍ଥାତ୍ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଗୋଟା ବ୍ୟାରେଜ୍ ଠାରେ ୧୭ଟି ଗେଟ୍ ଖୋଲି ପ୍ରଥମ ବନ୍ୟାଜଳ ଛଡାଯାଉଛି। ମଧ୍ୟାହ୍ଣ ସୁଦ୍ଧା ବ୍ୟାରେଜ ଦେଇ ୪୨,୯୩୭ କ୍ଯୁସେକ୍ ଜଳ ପ୍ରବାହିତ ହେଉଛି। ଏହି ବ୍ୟାରେଜର ଜଳ ପରିଚାଳନା ଉପରେ ଗଜପତି ଜିଲା ପ୍ରଶାସନ ତୀକ୍ଷ୍ମ ନଜର ରଖିଛି। ସେପଟେ କାଶୀନଗର ନଦୀ ମୁହାଣରେ ଥବା ପାଲସିଙ୍ଗ, ସାରା, ବାଡ଼ିଗାଁ, ଖାଣ୍ଡବା, ପୁଟିଗୁଡ଼ା, ଭାନ୍ନା, କିଡିଗାଁ ଗ୍ରାମଗୁଡିକୁ ଆଲର୍ଟରେ ରଖାଯାଇଛି। ନିଜ କଚ୍ଚା ଘର ଓ ଅସୁରକ୍ଷିତ ତଥା ତଳିଆ ଅଞ୍ଚଳ ଛାଡ଼ି ପାଖରେ ଥିବା ବିଦ୍ୟାଳୟର ପକ୍କା କୋଠାରେ ଆଶ୍ରୟ ନେବାକୁ ଗ୍ରାମବାସୀଙ୍କୁ ସୂଚନା ଦିଆଯାଇଥିବା କହିଛନ୍ତି ତହସିଲଦାର ଅଶୋକ କୁମାର ପ୍ରଧାନ।
