ବାଲେଶ୍ୱର ଲାୟନ୍ସ କ୍ଲବ ଉମଙ୍ଗ ପକ୍ଷରୁ ମହିଳା ସଶକ୍ତିକରଣ ସମ୍ପର୍କିତ ଆଲୋଚନାଚକ୍ର
ବାଲେଶ୍ୱର : ବାଲେଶ୍ୱର ଲାୟନ୍ସ କ୍ଲବ ଉମଙ୍ଗ ପକ୍ଷରୁ ମହିଳା ସଶକ୍ତିକରଣ ସମ୍ପର୍କିତ ଏକ ଆଲୋଚନାଚକ୍ର ସ୍ଥାନୀୟ ଚିଡ଼ିଆପୋଲ ସ୍ଥିତ ଏକ ଘରୋଇ ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ଲାୟନ୍ସ କ୍ଲବର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଗୌରୀଶଙ୍କର ଅଗ୍ରୱାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଲେଶ୍ୱର ଲାୟନ୍ସ କ୍ଲବ ଉମଙ୍ଗର ବିଭିନ୍ନ ଗଠନମୂଳକ କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିଥିଲେ । ସମାଜସେବା କ୍ଷେତ୍ରରେ ବିଶେଷ କରି ମହିଳାଙ୍କ ଉତ୍ଥାନ ନିମନ୍ତେ କ୍ଲବ ଉମଙ୍ଗର କାର୍ଯ୍ୟଧାରା ବେଶ ପ୍ରଶଂସନୀୟ ବୋଲି ମତପ୍ରକାଶ କରିଥିଲେ । ଲାୟନ୍ସ କ୍ଲବର ପୂର୍ବତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ପ୍ରକାଶ ଜେନା, ନିର୍ବାଚିତ ଭାଇସ୍ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ମମତା ଦାସ, କ୍ୟାବିନେଟ ସଚିବ ସଞ୍ଜୟ ସାନ୍ତ୍ୱକା, ଆଂଚଳିକ ଅଧ୍ୟକ୍ଷା ମନୀଷା ଦାସ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ସମାଜସେବା କ୍ଷେତ୍ରରେ ଲାୟନ୍ସ କ୍ଲବ ଉମଙ୍ଗର ଗଠନମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ ।
ଉମଙ୍ଗର ସଭାନେତ୍ରୀ ତଥା ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମର ସଂଯୋଜିକା ବନ୍ଦିତା ମହାନ୍ତି ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । କ୍ରିଷ୍ଣା ଦାସ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ବାଲେଶ୍ୱରର ସଫଳ ମହିଳା ଉଦ୍ୟୋଗୀ ଡ. ନୀନା ସିଂହଙ୍କୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ଅବସରରେ ଡ. ସିଂହ ଉଦ୍ୟୋଗୀ ଭାବେ ମହିଳାଙ୍କ କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା ଓ ତାହାର ନିରାକରଣ ସହିତ ସଫଳତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ପରେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଅର୍ନ୍ତଗତ ରେମୁଣାର ମହାଲକ୍ଷ୍ମୀ ମହିଳା ସମିତିର କର୍ମକର୍ତ୍ତାଙ୍କୁ ଡିସପୋଜେବଲ ପ୍ଲେଟ ଓ ବାଉଲ୍ ତିଆରି ମେସିନ୍ ଉମଙ୍ଗ ପକ୍ଷରୁ ପ୍ରଦାନ କରାଯାଇଥିଲା । ଏଥିସହିତ ଅନୀମା ରାୟଙ୍କୁ ଏକ ଖାଦ୍ୟ ବିକ୍ରୟ ଠେଲା ଗାଡ଼ି, ଅନ୍ୟ ଦୁଇ ମହିଳାଙ୍କୁ ଦୁଇଟି ସିଲେଇ ମେସିନ ସହିତ ମହିଳାଙ୍କ ଦକ୍ଷତା ବୃଦ୍ଧି ପାଇଁ ଉଦ୍ଦିଷ୍ଟ ଉମଙ୍ଗ ଭୋକେସନାଲ ଟ୍ରେନିଂ ସେଣ୍ଟରକୁ ମଧ୍ୟ ଦୁଇଟି ସିଲେଇ ମେସିନ୍ ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଗିରିଜା ଦାସ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଉର୍ମିଳା ଦାସ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ । ଦର୍ଶନା ସାଙ୍ଗଭି ଜାତୀୟ ପ୍ରତାକାକୁ ସମ୍ମାନ ପ୍ରଦାନ ନିମିତ୍ତ ଆହ୍ୱାନ କରିଥିବା ବେଳେ ଦୀପ୍ତି ଦାସ ଶାନ୍ତି ପ୍ରାର୍ଥନା କରିଥିଲେ । ଉମଙ୍ଗର କୋଷାଧ୍ୟକ୍ଷା ରଶ୍ମିତା ବିଶ୍ୱାଳ, ଲୀନା ପାଣିଗ୍ରାହୀ, ସୁନୀତା ଦତ, ବନ୍ଦନା ମାହାପାତ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।
