ସିଡିଏ କାର୍ଯ୍ୟାଳୟରେ ‘ସୁଜଳ ଡ୍ରିିଙ୍କ ଫ୍ରମ୍ ଟ୍ୟାପ୍’ ମିିଶନ କାର୍ଯ୍ୟ ସମୀକ୍ଷା ବୈଠକ
କଟକ : ୨୦୨୩ ଡିସେମ୍ବର ସୁଦ୍ଧା କଟକ ସହରବାସୀଙ୍କୁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଇ ଦିଆଯିବ । ସୁଜଳ ଡ୍ରିଙ୍କ ଫ୍ରମ୍ ଟ୍ୟାପ ମିଶନ ଜରିଆରେ ସହରରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା ବେଳେ ଧାର୍ଯ୍ୟ ସମୟ ଭିତରେ ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ପ୍ରକଳ୍ପ ଅଧ୍ୟକ୍ଷ ତଥା କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଅଧ୍ୟକ୍ଷ ଅନୀଲ କୁମାର ସାମଲ ବିଭାଗୀୟ ଅଧିକାରୀମାନଙ୍କୁ ଆଦେଶ ଦେଇଛନ୍ତି । ଆଜି ଏନେଇ ସିଡିଏ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସିଡିଏ ଅଧ୍ୟକ୍ଷ ଶ୍ରୀ ସାମଲ ଏଥିରେ ଅଧ୍ୟକ୍ଷତା କରିଥିଲେ । ସିଡିଏ ଉପାଧ୍ୟକ୍ଷ ତଥା ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ଏହି ବୈଠକରେ ଉପସସ୍ଥିତ ଥିଲେ । ବିଭିନ୍ନ ବିଭାଗର ଅଧିକାରୀମାନେ ସହରରେ ପ୍ରାୟ ୫୦ ଭାଗ କାର୍ଯ୍ୟ ଶେଷ ହୋଇଛି ବୋଲି ବୈଠକରେ ଅବଗତ କରାଇଥିଲେ ।ପ୍ରକାଶ ଥାଉକି, କଟକ ସହରବାସୀଙ୍କୁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଇଦେବା ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୨ ଜାନୁଆରୀରେ ଘୋଷଣା କରିଥିଲେ । ଏହାପରେ ସହରରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନା ଆରମ୍ଭ କରାଯାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ୪୮ ଓ ୪୯ ନମ୍ବର ୱାର୍ଡରେ ଏହି କାର୍ଯ୍ୟ ଶେଷ ହୋଇଛି । ସିଏମସି ଅଂଚଳରେ ଏହି ଯୋଜନାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ସହରକୁ ୫୫ଟି ଜୋନରେ ବିଭକ୍ତ କରାଯାଇଛି । ପ୍ରତି ଜୋନରେ ସୁବିଧାରେ ପାନୀୟ ଜଳ ଯୋଗାଇ ଦେବା ପାଇଁ ଓଭର ହେଡ୍ ଟାଙ୍କି ବ୍ୟବସ୍ଥା କରାଯାଇଛି । ଏପର୍ଯ୍ୟନ୍ତ ୩୭ଟି ଟ୍ୟାଙ୍କ ବ୍ୟବସ୍ଥା ହୋଇଥିଲା ବେଳେ ଅବଶିଷ୍ଟ ୧୮ଟି ଓଭର ହେଡ ଟ୍ୟାଙ୍କ ନିର୍ମାଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ସେଥିମଧ୍ୟରୁ ୧୫ଟି ଟ୍ୟାଙ୍କ ନିର୍ମାଣ ପାଇଁ ଜମି ନିର୍ଦ୍ଧାରଣ ହୋଇସାରିଥିଲା ବେଳେ ଅବଶିଷ୍ଟ ୩ଟି ପାଇଁ ଆବଶ୍ୟକ ଥିବା ଜମି ସମସ୍ୟା ତୁରନ୍ତ ସମାଧାନ କରାଯିବ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ମିଟର ମାଧ୍ୟମରେ ସହରର ମୋଟ ୯୩ ହଜାର ଉପଭୋକ୍ତାଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ । ପ୍ରତ୍ୟେକ ଘରର କନେକ୍ସନ ପଏନ୍ଟ ପରିବର୍ତ୍ତନ କରାଯିବ । ଯାହାଫଳରେ ପାଣି ଲିକ୍ ହେବାର ସମ୍ଭାବନା ହ୍ରାସ ପାଇବ । ତା’ଛଡା ପୁରୁଣା ପାଇପ ଲାଇନକୁ ବଦଳାଯିବ । ବର୍ତ୍ତମାନ ସୁଦ୍ଧା ମାଟି ତଳେ ଥିବା ପାଇପ୍ ଲାଇନ୍, ପ୍ରତି ଘରକୁ ଯାଇଥିବା ପିଭିସି ପାଇପ ଲାଇନ, ୱାଟର ମିଟର, ଗୃହକୁ ପାଇପ ଲାଇନ ସଂଯୋଗ ଓ ଅପଟିକାଲ୍ସ ଫାଇବର କାର୍ଯ୍ୟ ୫୦ ଭାଗ ଶେଷ ହୋଇଛି । ସହରବାସୀଙ୍କୁ ସଂପୂର୍ଣ୍ଣ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଏହି ବ୍ୟବସ୍ଥା କରାଯାଉଛି । ବିଶେଷକରି ଆଇଏସ-୧୦୫୦୦ ୱାଟର କ୍ୱାଲିଟିକୁ ସର୍ବଦା ଦୃଷ୍ଟି ଦିଆଯିବ ବୋଲି ୱାଟକୋର ଜେନେରାଲ ମ୍ୟାନେଜର ଦେବବ୍ରତ ମହାନ୍ତି କହିଛନ୍ତି । ୫୫ଟି ଜୋନ ମଧ୍ୟରୁ ଆଜି ସୁଦ୍ଧା ୧୦ଟି ଜୋନର କାର୍ଯ୍ୟ ଶେଷ ହୋଇଥିଲା ବେଳେ ଚଳିତ ମାସ ଶେଷ ସୁଦ୍ଧା ୧୦ଟି , ଅଗଷ୍ଟ ୩୧ ସୁଦ୍ଧା ୧୫ଟି, ଡିସେମ୍ବର ୨୩ ସୁଦ୍ଧା ବାକି ୨୦ଟି ଜୋନ କାର୍ଯ୍ୟ ଶେଷ ହେବ ବୋଲି ଜେନେରାଲ ମ୍ୟାନେଜର ଶ୍ରୀ ମହାନ୍ତି କହିଛନ୍ତି । ଅନୁଷ୍ଠିତ ବିଭାଗୀୟ କୋ-ଅଡିନେସନ କମିଟି ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।
