ମେହେନ୍ତର ସଂଘ , ବିଶ୍ୱନାଥ ପଣ୍ଡିତ ସ୍ମୃତି ପରିଷଦ ଓ ସିଏମସି କର୍ମଚାରୀ ସଂଘର ବୈଠକ
କଟକ : କଟକ ମେହେନ୍ତର ସଂଘ, ବିଶ୍ୱନାଥ ପଣ୍ଡିତ ସ୍ମୃତି ପରିଷଦ ଓ କଟକ ମ୍ୟୁନିସିପାଲିଟି କର୍ମଚାରୀ ସଂଘର ମିଳିତ ଆନୁକୂଲ୍ୟରେ ଏକ ବୈଠକ ମେହେନ୍ତର ସଂଘ କାର୍ଯ୍ୟାଳୟଠାରେ ଡ଼ାକ୍ତର ରବି ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କଟକ ମହାନଗର ନିଗମ ପରିସରରେ ଅବସ୍ଥିତ କଟକ ମେହେନ୍ତର ସଂଘ କାର୍ଯ୍ୟାଳୟ ଓ ଏହାର ପରିସର ଓଡ଼ିଶାର ଶ୍ରମିକ ଆନ୍ଦୋଳନର ଏକ ଜୀବନ୍ତ ଇତିହାସ । ବିଶେଷ କରି ଓଡ଼ିଶାର ଶ୍ରମିକ ଆନ୍ଦୋଳନର ଅନ୍ୟତମ ପଟପୁରୋଧା ବିଶ୍ୱନାଥ ପଣ୍ଡିତଙ୍କ କର୍ମସ୍ଥଳୀ ସହିତ ବହୁ ଗଣତାନ୍ତ୍ରିକ, ସାମାଜିକ ଆନ୍ଦୋଳନର ପୁଣ୍ୟପୀଠ ଭାବରେ ପରିଚିତ । କଟକ ମହାନଗର ନିଗମ ପକ୍ଷରୁ ଏହି କାର୍ଯ୍ୟାଳୟ ଓ ପରିସରକୁ ଆଧୁନିକକରଣ କରିବା ପାଇଁ ଯେଉଁ ଉଦ୍ୟମ କରାଯାଉଛି ସେ ସଂପର୍କରେ ଏହି ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା ଓ ସର୍ବସମ୍ମତି କ୍ରମେ ପ୍ରସ୍ଥାବ ଗୃହୀତ ହୋଇଥିଲା । ସ୍ୱରାଜ ଆଶ୍ରମ ଭଳି କଟକ ମେହେନ୍ତର ସଂଘର ପରିସର ମଧ୍ୟ ସମଗ୍ର ରାଜ୍ୟ ଓ ଦେଶ ପାଇଁ ଏକ ପବିତ୍ର ଐତିହ୍ୟ ସ୍ଥଳୀ । ଏହାର ସୁରକ୍ଷା ଓ ବିକାଶ ପାଇଁ କଟକ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ସହ କଟକ ମେହେନ୍ତର ସଂଘ ଓ ବିଶ୍ୱନାଥ ପଣ୍ଡିତ ସ୍ମୃତି ପରିଷଦ ପକ୍ଷରୁ ମିଳିତ ଭାବେ ଆଲୋଚନା କରିବା ପାଇଁ ସ୍ଥିର କରାଗଲା । ଏକ ମାସ ମଧ୍ୟରେ ଏହି ଆଲୋଚନାର ଫଳାଫଳକୁ ଏକ ଗଣସମାବେଶ ଜରିଆରେ ଜନସାଧାରଣଙ୍କୁ ଅବଗତ କରାଇ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ହେଲା । ଏହି ବୈଠକରେ ବାରବାଟୀ-କଟକର ବିଧାୟକ ଇଂ. ମହମ୍ମଦ ମୋକିମ୍, କଟକ ମେହେନ୍ତର ସଂଘର ସଭାପତି ତଥା ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ବିଶ୍ୱନାଥ ପଣ୍ଡିତ ସ୍ମୃତି ପରିଷଦର ସଭାପତି ବିରେନ୍ଦ୍ର ପ୍ରତାପ ସ୍ୱାଇଁ, ବିଶିଷ୍ଟ ଶ୍ରମିକ ନେତା କୃଷ୍ଣଚନ୍ଦ୍ର ପାତ୍ର, ବିଶିଷ୍ଟ ସମାଜସେବୀ ଚିତ୍ତରଂଜନ ମହାନ୍ତି, ବୈଷ୍ଣବ ଚରଣ ଦାସ, ସାକିଲ ଖାନ୍, ଆଶିଷ କୁମାର ସାହୁ, ଗୌତମ ଦାସ, ମେହେନ୍ତର ସଂଘର କାର୍ଯ୍ୟକାରୀ ସଭାପତି ହରିବନ୍ଧୁ ନାୟକ, ଉପସଭାପତି ରତ୍ନାକର ମୁଖୀ, ସାଧାରଣ ସଂପାଦକ ଦେବରାଜ ମୁଖୀ, ସମାଜସେବୀ ଜ୍ୟୋତି ପ୍ରକାଶ ଘୋଷ, ପ୍ରଦୀପ ଚନ୍ଦ୍ର ରାଓ ଓ ନରେନ୍ଦ୍ର ନାୟକ, ସେଖ୍ ୟାସିନ୍ ପ୍ରମୁଖ ପ୍ରସ୍ତାବ ସପକ୍ଷରେ ମତାମତ ଦେଇଥିଲେ । କଟକ ମେହେନ୍ତର ସଂଘର କୋଷାଧ୍ୟକ୍ଷ ମନୋରଂଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
