ଉଠା ଜଳସେଚନ ବରିଷ୍ଠ ଯନ୍ତ୍ରୀଙ୍କ ଦୁଇଟି ବ୍ଲକ୍ ପରିଦର୍ଶନକାର୍ଯ୍ୟରେ ବିଳମ୍ବ ପାଇଁ ଠିକାଦାରଙ୍କୁ ଜରିମାନା
କଟକ : ଜିଲ୍ଲା ଉଠା ଜଳସେଚନ ବିଭାଗ ଅଧୀନରେ ଥିବା କଟକ ସଦର ଓ ନିଶ୍ଚିନ୍ତକୋଇଲି ବ୍ଲକରେ ଚାଲୁରହିଥିବା କାର୍ଯ୍ୟକୁ ଖୋଦ୍ ନିର୍ବାହୀ ଯନ୍ତ୍ରୀ ତଦରଖ କରିବା ସହିତ କାର୍ଯ୍ୟରେ ବିଳମ୍ବ ପାଇଁ କେତେକ ଠିକା ସଂସ୍ଥାକୁ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ତେବେ ଚୁକ୍ତି ଭିତ୍ତିରେ ଏହି ଦୁଇଟି ବ୍ଲକରେ ଚାଲୁ ରହିଥିବା କାର୍ଯ୍ୟଗୁଡିକୁ ନିର୍ଦ୍ଦିଷ୍ଟ ସମୟ ସୀମାରେ ଶେଷ କରିବା ପାଇଁ ଯନ୍ତ୍ରୀ ପବିତ୍ର ପରିଡା ଅଧୀନସ୍ଥ ଯନ୍ତ୍ରୀମାନଙ୍କ ସହିତ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୨୦୨୧-୨୨ ଆର୍ôଥକ ବର୍ଷରେ ରାଜ୍ୟ ସରକାର ସଦର ଅଂଚଳର ଖଣ୍ଡେଇତା, କୁଳସରିଚୁୁଆଁ, ବରାଳ ଓ ବହଳପଦା ଆଦିରେ ୨୪ଟି ଉଠା ଜଳସେଚନ ପ୍ରକଳ୍ପ ପାଇଁ ୧ କୋଟି ୪୪ ଲକ୍ଷ ଟଙ୍କା ମଂଜୁର କରିଥିଲା ବେଳେ ନିଶ୍ଚିନ୍ତକୋଇଲି ବ୍ଲକର ସାଙ୍ଖିଲୋର ୨ଟି, ତେନ୍ତାଳପୁରର ୪ଟି ଓ ବଳରାମପୁରରେ ଗୋଟିଏକୁ ମିଶାଇ ସମୁଦାୟ ୭ଟି ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାୟ ୧ କୋଟି ୧୨ ଲକ୍ଷ ମଂଜୁର କରିଥିଲେ । ଗତ ବର୍ଷଠାରୁ କାର୍ଯ୍ୟ ଆରମ୍ଭ ହୋଇ ନିଶ୍ଚିନ୍ତକୋଇଲି ବ୍ଲକର ୫ଟି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଥିଲେ ହେଁ ତେନ୍ତାଳପୁରର ୨ଟି ପ୍ରକଳ୍ପର କାର୍ଯ୍ୟ ୮୦ ପ୍ରତିଶତ ସରିଛି । ହେଲେ କାର୍ଯ୍ୟ ସରିଥିବା ପ୍ରକଳ୍ପଗୁଡିକ ଉପଯୁକ୍ତ ପରିମାଣର ଜଳ ଉତ୍ତୋଳନ କରିପାରୁ ନାହିଁ ସେଥିପାଇଁ ସଂପୃକ୍ତ ଠିକା ସଂସ୍ଥା ଉପରେ ଜରିମାନା କରାଯାଇଛି । ଭୁତଳ ଜଳ ସ୍ତରର ସ୍ଥିତିକୁ ନେଇ ୧୦ଏଚପି ମୋଟର ପରିବର୍ତ୍ତେ ୬ ଏଚପି ମୋଟର ସ୍ଥାପନ ପାଇଁ ଠିକା ସଂସ୍ଥାକୁ ନିଦର୍ଦ୍ଦେଶ ଦିଆଯାଇଛି । ଏହି ପରିଦର୍ଶନ ସମୟରେ ନିର୍ବାହୀ ଯନ୍ତ୍ରୀ ପରିଡାଙ୍କ ସହିତ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଭାଗିରଥି ମିଶ୍ର, ବିଦ୍ୟୁତ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ ବେହେରା ଓ ସହକାରୀ ଯନ୍ତ୍ରୀ ସରୋଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ତେବେ ପାଣି ପଂଚାୟତଗୁଡିକୁ ଯେପରି ସୂଚାରୁ ରୂପେ ଜଳ ଯୋଗାଣ, ଜଳ ଓ ଭୂମି ପରିଚାଳନା ଅନୁଷ୍ଠାନରେ ସଦସ୍ୟମାନଙ୍କୁ ତାଲିମ, ଯାନ୍ତ୍ରିକ ଜଳ ବିତରଣ ପ୍ରଣାଳୀର ରକ୍ଷଣା ବେକ୍ଷଣ, ଜଳ କର ଆଦାୟ ଉପରେ ଶ୍ରୀ ପରିଡା ଗୁରୁତ୍ୱ ଦେଇଥିଲେ ।
