ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ, ସହର ପରିକ୍ରମା କଲା ସଚେତନତା ଶୋଭାଯାତ୍ରା
ବାଲେଶ୍ୱର : ବାଲେଶ୍ୱର ସହଦେବଖୁଣ୍ଟା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହରେ ଜିଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ-୨୦୨୩ ପାଳିତ ହୋଇଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା ହୋଇଥିଲା । ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହରେ ଆୟୋଜିତ ସଚେତନତା ସଭାରେ ସହକାରୀ ଜିଲା ଜନସ୍ୱାସ୍ଥ୍ୟ ବିଭାଗର ଯୋଗାଯୋଗ ଅଧିକାରୀ ରମଣୀକାନ୍ତ ଭଞ୍ଜ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମୃତ୍ୟୁଞ୍ଜୟ ମିଶ୍ର ସଭାପତିତ୍ୱ କରି ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ନିୟନ୍ତ୍ରିତ ଜୀବନଚର୍ଯ୍ୟା ଅଭ୍ୟାସ ଦ୍ୱାରା ମଣିଷ ସୁସ୍ଥ ଏବଂ ନିରାମୟ ଜୀବନ ଯାପନ କରିପାରେ । ସମସ୍ତଙ୍କ ନିକଟରେ ମୌଳିକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାକୁ ଆଜିଭଳି ଦିନରେ ଶପଥ ନେବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ ।
ମୁଖ୍ୟଅତିଥି ଭାବେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲସେନ ଜଗଦ୍ଦେବ ଯୋଗଦେଇ ଜିଲାର ତୃଣମୂଳସ୍ତରରେ ଚିକିତ୍ସାସେବାର ଉନ୍ନତି ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ସମସ୍ତଙ୍କୁ ମୌଳିକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ୱାସ୍ଥ୍ୟସେବାରେ ଜଡ଼ିତ ଡାକ୍ତରଙ୍କ ସହ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ସହଯୋଗରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସର ବାର୍ତ୍ତା ‘ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା’ ସାର୍ଥକ ହୋଇପାରିବ ବୋଲି କହିଥିଲେ । ସହକାରୀ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶଶାଙ୍କ ଶେଖର ଚୌଧୁରୀ, ସହଦେବଖୁଣ୍ଟା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଲମ୍ବୋଦର ବଳ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲା ପ୍ରକଳ୍ପ ସଂଯୋଜକ ଅନୀଲ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଡାକ୍ତରଙ୍କ ସମେତ ନର୍ସ ଓ କର୍ମଚାରୀମାନେ ସମ୍ବେଦନଶୀଳ ହୋଇ ନିଜର ଦାୟିତ୍ୱ ତୁଲାଇବାକୁ ଆହ୍ୱାନ ଦେଇଥିଲେ । ରସ୍ୱତୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଶିକ୍ଷୟିତ୍ରୀ ଓ ଛାତ୍ରୀଙ୍କ ସମେତ ଜିଲା ସ୍ୱାସ୍ଥ୍ୟ ସମିତି ଅନ୍ତର୍ଗତ ସମସ୍ତ ବିଭାଗର ଅଧିକାରୀ, କର୍ମଚାରୀ, ମହିଳା ସ୍ୱାସ୍ଥ୍ୟକର୍ମୀ ପ୍ରମୁଖ ଅୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଜିଲା ଜନସ୍ୱାସ୍ଥ୍ୟ ବିଭାଗର ଯୋଗାଯୋଗ ଅଧିକାରୀ ଶ୍ରୀକାନ୍ତ ସେଠୀ ଧନ୍ୟବାଦ ଦେଇଥିଲେ ।
