ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବସ୍ଷ୍ଟାଣ୍ଡ ପାଇଁ ଶିଳାନ୍ୟାସ ହୋଇଥିବା ଜମି ବିକ୍ରିକୁ ବିରୋଧ, ଗଣଆନ୍ଦୋଳନ ପାଇଁ ସିଭିଲ୍ ସୋସାଇଟିର ଚେତାବନୀ
ବାଲେଶ୍ୱର : ବାଲେଶ୍ୱର ସହର ମଧ୍ୟରେ ବସ୍ ଚଳାଚଳ ନେଇ ଉପୁଜୁଥିବା ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ଗତ ୨୦୧୦ ମସିହାରେ ଜାନୁଗଞ୍ଜ ଗୋଲେଇ ଛକ ନିକଟ ୧୬ ନଂ. ଜାତୀୟ ରାଜପଥ ପାଶ୍ୱର୍ରେ ଗଣେଶ୍ୱରପୁର ମୌଜାରେ ମୁଖ୍ୟମନ୍ତ୍ରୀ ୮ ଏକର ପରିମିତ ଜମିରେ ଏକ ନୂତନ ବସ୍ଷ୍ଟାଣ୍ଡ ପାଇଁ ଶିଳାନ୍ୟାସ କରିଥିଲେ । ଏହି ଜମିର ଚତୁଃପାଶ୍ୱର୍ରେ ପ୍ରାଚୀର ନିର୍ମାଣ ମଧ୍ୟ କରାଯାଇଥିଲା । କ୍ରମବର୍ଦ୍ଧିଷ୍ଣୁ ସହରର ଜନସଂଖ୍ୟା ଓ ଯାତାୟତର ସୁବିଧା ପାଇଁ ଏହି ପ୍ରସ୍ତାବିତ ବସ୍ଷ୍ଟାଣ୍ଡ୍ ଶିଳାନ୍ୟାସକୁ ବାଲେଶ୍ୱରବାସୀ ସ୍ୱାଗତ କରିଥିଲେ । କିନ୍ତୁ ପରିତାପର ବିଷୟ ଯେ, ଚଳିତ ୨୦୨୩ ମସିହାରେ ଏହି ପ୍ରସ୍ତାବିତ ବସ୍ଷ୍ଟାଣ୍ଡ ଜମିରୁ ସାଢ଼େ ୬ ଏକର ଜମି ଉପରେ ବହୁତଳ ଫ୍ଲାଟ୍ ଓ ବ୍ୟବସାୟ ଗୃହ ନିର୍ମାଣ କରି ବ୍ୟକ୍ତିବିଶେଷଙ୍କୁ ବିକ୍ରି କରିବାକୁ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ଓ ଜିଲା ପ୍ରଶାସନର ଏହି ଅପରିଣାମଦର୍ଶୀ ନିଷ୍ପତ୍ତିକୁ ସିଭିଲ୍ ସୋସାଇଟି ଓ ବିଭିନ୍ନ ସାମାଜିକ ସଂଗଠନ ବିରୋଧ କରି ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲା । ଜିଲାପାଳ ତଥା ବିଟ୍ର ଅଧ୍ୟକ୍ଷ ଏଥିପାଇଁ ତୃତୀୟଥର ଟେଣ୍ଡର ଆହ୍ୱାନ କରିଛନ୍ତି । ବାଲେଶ୍ୱରବାସୀଙ୍କ ସ୍ୱାର୍ଥ ବିରୋଧରେ ଜିଲାପାଳ କରୁଥିବା ଏହି କାର୍ଯ୍ୟକୁ ସିଭିଲ୍ ସୋସାଇଟି ଦୃଢ଼ ବିରୋଧ କରୁଛି ।
ଅନ୍ୟପକ୍ଷରେ ସହଦେବଖୁଣ୍ଟାରେ ଥିବା ପୁରୁଣା ବସ୍ଷ୍ଟାଣ୍ଡକୁ ନବୀକରଣ ଆଳରେ ୮କୋଟିରୁ ଊର୍ଦ୍ଧ୍ୱ ସରକାରୀ ଟଙ୍କା ବ୍ୟୟରେ ବସ୍ଷ୍ଟାଣ୍ଡ ଭିତରେ ବ୍ୟବସାୟ କେନ୍ଦ୍ର ଓ ହୋଟେଲ୍ ପ୍ରଭୃତି ପାଇଁ ନିର୍ମାଣ କାର୍ଯ୍ୟ ଚାଲିଛି । ଏହି ନିର୍ମାଣ କାର୍ଯ୍ୟ ସମାପ୍ତ ପରେ ମାତ୍ର ସେଠାରେ ୩୧ଟି ବସ୍ ରହିବାର ସ୍ଥାନ ଦିଆଯାଇଛି । ବାଲେଶ୍ୱରରେ ୩୦୦ରୁ ଊର୍ଦ୍ଧ୍ୱ ଘରୋଇ ଓ ସରକାରୀ ବସ୍ ଚଳାଚଳ କରୁଥିବାବେଳେ ବସ୍ଷ୍ଟାଣ୍ଡ୍କୁ ସଙ୍କୁଚିତ କେଉଁ ଯୁକ୍ତିରେ କରାଯାଉଛି? ତାହା ବାଲେଶ୍ୱରବାସୀଙ୍କୁ ବିସ୍ମିତ କରିଛି । ସର୍ବଦା ଓଭରବ୍ରିଜ୍ ଉପରକୁ ଉଠୁଥିବା ବସ୍ ଓ ଓହ୍ଲାଉଥିବା ବସ୍ ଚଳାଚଳ ସାଧାରଣ ଲୋକଙ୍କ ଯାତାୟତ ଓ ଜରୁରୀ ସେବାରେ ଥିବା ଆମ୍ବୁଲାନ୍ସ, ଦମକଳ ଓ ପୋଲିସ୍ ଗାଡ଼ି ଚଳାଚଳରେ ବ୍ୟାଘାତ ସୃଷ୍ଟି ହେଉଛି ଏବଂ ଦୁର୍ଘଟଣାମାନ ଘଟୁଛି । ତେଣୁ ସହର ବାହାରେ ଓ ଜାତୀୟ ରାଜପଥ ପାଶ୍ୱର୍ରେ ବସ୍ଷ୍ଟାଣ୍ଡ୍ ପାଇଁ ଉଦ୍ଦିଷ୍ଟ ସରକାରୀ ଜମିକୁ ଘରୋଇ ମାଲିକାନାକୁ ହସ୍ତାନ୍ତର ପାଇଁ ଉଦ୍ୟମରୁ ଜିଲା ପ୍ରଶାସନ ନିବୃତ୍ତ ହେବାକୁ ଅନୁରୋଧ କରାଯାଇଛି । ଯଦି ଟେଣ୍ଡର ପ୍ରକ୍ରିୟା ପ୍ରତ୍ୟାହାର ନହୁଏ, ତେବେ ଶାନ୍ତିକାମୀ ବାଲେଶ୍ୱରବାସୀ ବ୍ୟାପକ ଆନ୍ଦୋଳନକୁ ଓହ୍ଲାଇବେ ଓ ସରକାରୀ ଜମିରେ ବିକ୍ରି ପାଇଁ କୌଣସି ନିର୍ମାଣ କାର୍ଯ୍ୟ କରାଇ ଦେବେ ନାହିଁ ବୋଲି ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ସିଭିଲ୍ ସୋସାଇଟିର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସମ୍ପାଦକ ମନୋଜ ନାୟକ, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ସୀତାରାମ ପ୍ରଧାନ, ରଘୁନାଥ ଲେଙ୍କା, ଅରୁଣ ଜେନା, ଶ୍ୟାମସୁନ୍ଦର ଜେନା, ଶରତ ଚନ୍ଦ୍ର ଦଳାଇ, ଦେବାଶିଷ ସିଂ, ପରମାନନ୍ଦ ପଣ୍ଡା, ଶରତ କୁମାର ପତି ଓ ବିଧାନ ଚନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତ ଥିଲେ ।
