ପଛୁଆବର୍ଗ ଜନଗଣନା ପାଇଁ ଜିଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା
ବାଲେଶ୍ୱର : ଆସନ୍ତା ମେ ମାସ ୧ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା ପଛୁଆବର୍ଗ ଜନଗଣନା କାର୍ଯ୍ୟ ପାଇଁ ବାଲେଶ୍ୱର ଜିଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ବାଲେଶ୍ୱର ଜିଲାର ସମସ୍ତ ବିଡିଓ ଓ ଏବିଡ଼ିଓ, ସମସ୍ତ ପୌର ପରିଷଦର ନିର୍ବାହୀ ଅଧିକାରୀ, ତହସିଲଦାର, ଅତିରିକ୍ତ ତହସିଲଦାର, ଆଇସିଡିଏସ୍ର ସୁପରଭାଇଜର, ବ୍ଲକସ୍ତରୀୟ ଅଧିକାରୀ ଓ ସମ୍ପୃକ୍ତ ବିଭାଗୀୟ କର୍ମଚାରୀଙ୍କୁ ନେଇ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏହି ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କରି ଶିବିର ଆୟୋଜନ ଓ ସର୍ଭେର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଓଡ଼ିଶାରେ ଥିବା ପଛୁଆବର୍ଗର ଲୋକମାନଙ୍କ ବର୍ତ୍ତମାନ ଥିବା ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ବନ୍ଧରେ ସ୍ପଷ୍ଟ ଚିତ୍ର ହାସଲ କରିବା ହେଉଛି ଏହି ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ଏହି ସର୍ଭେ ମାଧ୍ୟମରେ ମୁଖ୍ୟତଃ ପଛୁଆବର୍ଗ ଲୋକମାନଙ୍କର ବୃତ୍ତି, ଶିକ୍ଷାଗତ ଯୋଗ୍ୟତା ସହିତ ସେମାନଙ୍କର ପରିବାରର ଲୋକମାନେ କେଉଁ ପ୍ରକାରର ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିଛନ୍ତି, ସେ ବିଷୟରେ ସୂଚନା ମିଳିବା ଦ୍ୱାରା ସେମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ବନ୍ଧରେ ସଠିକ୍ ତଥ୍ୟ ପ୍ରାପ୍ତ ହୋଇପାରିବ । ଗ୍ରାମାଞ୍ଚଳରେ ଅଙ୍ଗନୱାଡ଼ି କର୍ମୀ ଓ ପୌରାଞ୍ଚଳରେ ଅଙ୍ଗନୱାଡ଼ି କର୍ମୀ, ଟ୍ୟାକ୍ସ କଲେକ୍ଟର ଓ ୱାର୍ଡ଼ ଅଫିସରଙ୍କୁ ଏନୁମରେଟର ଭାବେ ଏହି ସର୍ଭେ କାର୍ଯ୍ୟ ପାଇଁ ନିୟୋଜିତ କରାଯିବ । ବାଲେଶ୍ୱର ଜିଲାରେ ୧୫୨ ଜଣ ଏନୁମରେଟର,୧୧୨ ଜଣ ସୂପରଭାଇଜର ୨୦୬ ଟି ପଛୁଆବର୍ଗ ଜାତି ଲୋକମାନଙ୍କ ନିମନ୍ତେ ୧୦୧୫ ଗୋଟି ସର୍ଭେ କେନ୍ଦ୍ର ମାଧ୍ୟମରେ ଏହି କାର୍ଯ୍ୟ ସମ୍ପାଦିତ କରିବେ । ଖାଉଟି ସାମଗ୍ରୀ ବଣ୍ଟନ କେନ୍ଦ୍ର ନିକଟରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ କିମ୍ବା କୌଣସି ସରକାରୀ ଅନୁଷ୍ଠାନରେ ଏହି ସର୍ଭେ କେନ୍ଦ୍ର ଖୋଲାଯିବ । ପଛୁଆବର୍ଗର ପରିବାର ମୁଖ୍ୟ ବା ବରିଷ୍ଠ ସଦସ୍ୟଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ ଆଧାରରେ ଏମାନେ ସର୍ଭେ ଫର୍ମ ପୂରଣ କରିବେ । ଗ୍ରାମାଞ୍ଚଳରେ ଆଇସିଡିଏସ୍ ସୁପରଭାଇଜର, ମାର୍କେଟିଂ ଇନ୍ସପେକ୍ଟର, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ସୁପରଭାଇଜର ଭାବେ ନିଯୁକ୍ତ କରାଯିବ ।
ପ୍ରଶିକ୍ଷଣ ଶିବିରରେ ବାଲେଶ୍ୱର ଜିଲା ପାଇଁ ପଛୁଆବର୍ଗ ସର୍ଭେର ପର୍ଯ୍ୟବେକ୍ଷକ ଭାବେ ସ୍ୱତନ୍ତ୍ର ଶାସନ ସଚିବ ତଥା ଇପିଏମ୍ ଓଡ଼ିଶାର ନିର୍ଦ୍ଦେଶକ ଦିଲୀପ କୁମାର ସାହୁ ଯୋଗଦେଇ ସର୍ଭେ କାର୍ଯ୍ୟ ନିର୍ଭୁଲ ଭାବେ ପରିଚାଳନା କରାଯିବା ନେଇ ପରାମର୍ଶ ଦେଇଥିଲେ । ଶିବିରର ଉଦ୍ଘାଟନୀ ଅଧିବେଶନରେ ଜିଲା ନୋଡ଼ାଲ ଅଫିସର ତଥା ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ଏହି ସର୍ଭେ ବାବଦରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ଜିଲାସ୍ତରୀୟ ମାଷ୍ଟର ଟ୍ରେନର ଭାବେ ନୀଳଗିରି ଉପ-ଜିଲାପାଳ ମନ୍ଦରଧର ମହାଳିକ, ଅତିରିକ୍ତ ନିର୍ବାହୀ ଅଧିକାରୀ ରବିନ୍ଦ୍ର କୁମାର ମଲ୍ଲିକ, ସଦର ବିଡ଼ିଓ ନରେନ୍ଦ୍ର କୁମାର ଖମାରୀ, ରେମୁଣା ବିଡ଼ିଓ ସଂଗ୍ରାମ ପରିଡ଼ା, ନୀଳଗିରି ବିଡ଼ିଓ ରାହୁଲ ମଣ୍ଡଳ, ଔପଦା ବିଡ଼ିଓ ଅଭିଷେକ ଦାଶ ଆଦି ଶିବିରରେ ଯୋଗଦେଇଥିବା ୭୪ ଜଣ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦେଇଥିଲେ । ପ୍ରଶିକ୍ଷଣ ଶିବିରରେ ବାଲେଶ୍ୱର ଉପ-ଜିଲାପାଳ ଚୌହାନ କୁନାଲ ମୋତିରାମ, ଆଇଏଏସ୍ ପ୍ରଶିକ୍ଷାର୍ଥୀ ସୁଶ୍ରୀ କିରଣଦୀପ କୌର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ସାହୁ ଉପସ୍ଥିତ ଥିଲେ ।
