ଭି-ବଜାର ଉପରେ ସିଏମସି ଖାଦ୍ୟ ସୁରକ୍ଷା ବାହିନୀର ଚଢଉ ଲକ୍ଷାଧିକ ଟଙ୍କାର ଏକ୍ସପାରି ଖାଦ୍ୟ ସାମଗ୍ରୀ ଜବତ ନାହିଁ ଫୁଡ୍ ଲାଇସେନ୍ସ
୧୦ ହଜାର ଜୋରିମାନା ପରୀକ୍ଷା ପାଇଁ ପଠାଗଲା ସଂଗୃହୀତ ନମୁନା
କଟକ : କଟକ ମହାନଗର ନିଗମ (ସିଏମସି) ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ବାଦାମବାଡିସ୍ଥିତ ଭି-ବଜାର ମଲ୍ ଉପରେ ଚଢଉ କରାଯାଇ ଲକ୍ଷାଧିକ ଟଙ୍କାର ଏକ୍ସପାରି ଖାଦ୍ୟ ପଦାର୍ଥ ପ୍ୟାକେଟ୍ ଆଦି ଜବତ କରାଯିବା ସହ ଜୋରିମାନା ବାବଦରେ ୧୦ ହଜାର ଟଙ୍କା ଆଦାୟ କରାଯାଇଛି । ଏତଦ୍ ବ୍ୟତୀତ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ଭୁବନେଶ୍ୱରସ୍ଥିତ ଲାବୋରେଟୋରୀକୁ ପଠାଯାଇଛି ବୋଲି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡା. ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି, ଗତକାଲି କମିଶନରେଟ ପୋଲିସ ପକ୍ଷରୁ ଭି-ବଜାର ମଲ୍ ଉପରେ ଚଢଉ କରାଯାଇଥିଲା । ନକଲି ଓ ସମୟସୀମା ଶେଷ ହୋଇଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀର ପ୍ୟାକେଟ୍ ଉପରେ ଲେଖାଥିବା ତାରିଖକୁ ବଦଳାଯାଇ ଗ୍ରାହକଙ୍କୁ ସେସବୁ ବିକ୍ରି କରାଯାଉଥିବା ସଂକ୍ରାନ୍ତରେ ଅଭିଯୋଗ ମିଳିବା ପରେ କମିଶନରେଟ୍ ପୋଲିସ ପକ୍ଷରୁ ଚଢଉ କରାଯାଇଥିଲା । ଚଢଉ ବେଳେ ନକଲି ଅପମିଶ୍ରିିତ ଖାଦ୍ୟ ସାମଗ୍ରୀ ଉକ୍ତ ମଲ୍ରେ ବିକ୍ରି କରାଯାଉଥିବା ସଂପର୍କରେ ଅଧିକ ସନ୍ଦେହ ଘନୀଭୂତ ହେବାରୁ ପୋଲିସ ପକ୍ଷରୁ ସିଏମସି ଖାଦ୍ୟ ସୁରକ୍ଷା ବିଭାଗର ସାହାଯ୍ୟ ଲୋଡାଯାଇଥିଲା । ଆଜି ପୂର୍ବାହ୍ନରେ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡା. ମହାପାତ୍ର ଓ ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସ ମହାପାତ୍ରଙ୍କ ସହ ପୁନଶ୍ଚ ଉକ୍ତ ମଲ୍ ଉପରେ ଚଢଉ କରାଯିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିଥିଲା । ସ୍ୱାସ୍ଥ୍ୟ ଅଧିକାରୀ ଡା. ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଚଢଉ କରାଯାଇଥିଲା । ଖାଦ୍ୟ ପ୍ୟାକେଟ୍ଗୁଡିକର ଯାଂଚ କରାଯିବା ପରେ ସେଥିରେ ବ୍ୟାଚ୍ ନମ୍ବର ନଥିବା, ଉତ୍ପାଦନ ସାମଗ୍ରୀର ତାରିଖ ନଥିବା ଓ ତାରିଖକୁ ବଦଳାଯାଇ ଷ୍ଟାମ୍ପ ଦ୍ୱାରା ଆଉ ଥରେ ତାରିଖ ପକାଯାଇଥିବା ଜଣାପଡିଥିଲା । ଏପରିକି ଖାଦ୍ୟ ପଦାର୍ଥ ବିକ୍ରି ପାଇଁ ଉଦ୍ଦିଷ୍ଟ ଲାଇସେନ୍ସ ମଲ୍ ମାଲିକ ପାଖରେ ନଥିବା ଜଣାପଡିଥିଲା । ବିଶେଷକରି ଖାଦ୍ୟ ସୁରକ୍ଷା ଆଇନକୁ ଉଲ୍ଲଙ୍ଘନ କରି ମଲ୍ କର୍ତ୍ତୃପକ୍ଷ ଏହି ବ୍ୟବସାୟ କରୁଥିବା ସଂପର୍କରେ ନଥିପତ୍ର ଯାଂଚ ବେଳେ ଜଣାପଡିଥିଲା । ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ, ଏକପ୍ରକାର ରାସାୟନିକ ପଦାର୍ଥ ବ୍ୟବହାର କରାଯାଇ ପ୍ୟାକେଟ୍ ଖାଦ୍ୟ ଉପରେ ଥିବା ଏକ୍ସପାରି ତାରିଖକୁ ଲିଭାଇ ଦିଆଯାଇ ନୂଆ ତାରିଖ ଷ୍ଟାମ୍ପ ମାଧ୍ୟମରେ ଲେଖାଯାଇଥିବା ଜଣାପଡିବା ପରେ ବିପୁଳ ପରିମାଣର ଖାଦ୍ୟ ସାମଗ୍ରୀକୁ ଜବତ କରାଯାଇଥିଲା । ଏହି ଚଢଉରେ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡା. ମହାପାତ୍ର ଓ ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀମତୀ ଦାସ ମହାପାତ୍ରଙ୍କ ସମେତ ଖାଦ୍ୟ ନିରୀକ୍ଷକ ଭଗବାନ ଲେଙ୍କା, ତ୍ରୈଲୋକ୍ୟ ସାହୁ, ଏସିପି ଅମରେନ୍ଦ୍ର ପଣ୍ଡା, ବାଦାମବାଡି ଥାନା ଅଧିକାରୀ ସୂର୍ଯ୍ୟାଂଶୁ ଶେଖର ପାଢୀ ପ୍ରମୁଖ ସାମିଲ ଥିଲେ ।
