ମର୍ଯ୍ୟାଦାସମ୍ପନ୍ନ ସମାଜ ଗଠନରେ ନାଗରିକ ସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ ରାଜନୀତି ବିଜ୍ଞାନ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ଆନୁକୂଲ୍ୟରେ ଆଲୋଚନାଚକ୍ର
ତିହିଡ଼ି : ସରକାରୀ ଓ ବୃତ୍ତିଗତ ସମ୍ପର୍କ ବ୍ୟତୀତ ପରିବାର ତଥା ବେସରକାରୀ କ୍ଷେତ୍ରକୁ ‘ନାଗରିକ ସମାଜ\’ ଅନ୍ତର୍ଭୁକ୍ତ କରାଯାଏ ଓ ଏହାକୁ ସମାଜର \”ତୃତୀୟ କ୍ଷେତ୍ର’ ଭାବରେ ଅଭିହିତ କରାଯାଏ । ଅଣ-ସରକାରୀ ସଂଗଠନ ଓ ଅନୁଷ୍ଠାନ-ସମୁଦାୟ ନାଗରିକଙ୍କ ସ୍ୱାର୍ଥ ଏବଂ ଇଚ୍ଛାର ବୃଦ୍ଧି ଓ ପରିପ୍ରକାଶ କରାଇଥାନ୍ତି । ସରକାର ତଥା ସ୍ୱାଧୀନ ସମାଜରେ ବ୍ୟକ୍ତି ଏବଂ ସଂଗଠନ ଭୂମିକା ଅତ୍ୟନ୍ତ ଅପରିହାର୍ଯ୍ୟ । ବ୍ୟକ୍ତିଚରିତ୍ର ରାଷ୍ଟ୍ରମୁଖୀ ହେଲେ ଉନ୍ନତ ‘ନାଗରିକ ସମାଜ\’ ଗଠନ ହୋଇପାରିବ ଓ ନାଗରିକ ସମାଜ ସମୃଦ୍ଧ ହେଲେ ମର୍ଯ୍ୟାଦାସମ୍ପନ୍ନ ସମାଜଗଠନ ସମ୍ଭବ ହେବ ବୋଲି ସ୍ଥାନୀୟ ପାଳିଆବିନ୍ଧା ସ୍ଥିତ ବିଏନଏଏ କଲେଜ ରାଜନୀତି ବିଜ୍ଞାନ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ସମ୍ପାନରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ସରୋଜ କୁମାର ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ‘ସାଧାରଣ ନୀତି ନିର୍ଦ୍ଧାରଣରେ ନାଗରିକ ସମାଜର ଭୂମିକା\’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅମୂଲ୍ୟ କୁମାର ପରିଡା ଯୋଗଦେଇ ଉତ୍ସବର ଉଦଘାଟନ କରିଥିଲେ । ବିଷୟ ବିଶାରଦ ତଥା ମୁଖ୍ୟବକ୍ତା ଭାବେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ରାଜନୀତି ବିଜ୍ଞାନର ପ୍ରଫେସର ଡକ୍ଟର ରଞ୍ଜନ କୁମାର ସାମଲ ଯୋଗଦେଇ ‘ନାଗରିକ ସମାଜ\’ ଶବ୍ଦର ସାଧାରଣ ଅର୍ଥ ଓ ସାମାଜିକ ନୀତି ନିୟମର ବିଭିନ୍ନ ଉପାଦାନ ଉପରେ ବିଶ୍ଳେଷଣ କରିଥିଲେ । ସମ୍ମାନିତ ବକ୍ତା ଓ ବିଷୟ ବିଶାରଦ ଭାବେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଶୁଭେନ୍ଦୁ କୁମାର ବରାଳ ଯୋଗଦେଇ ଉନ୍ନତ ଗାଣତାନ୍ତ୍ରିକ ସମାଜ ଗଠନରେ ମୂଲ୍ୟବୋଧଭିତ୍ତିକ ନାଗରିକର ସମାଜ ଗଠନର ଆବଶ୍ୟକତା ରହିଛି ବୋଲି କହିଥିଲେ । ବିଭାଗୀୟ ଅଧ୍ୟାପିକା ଅନୀତା ତ୍ରିପାଠୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସାଧାରଣ ପ୍ରଶାସନ ବିଭାଗ ମୁଖ୍ୟ ଅଧ୍ୟାପକ ମୃତ୍ୟୁଞ୍ଜୟ ନାରାୟଣ ଦାସ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ସାଧାରଣ ପ୍ରଶାସନ ବିଭାଗ ଅଧ୍ୟାପକ ଅଜୟ କୁମାର ପାତ୍ର ବିଷୟବସ୍ତୁ ଉପରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଣିଜ୍ୟ ବିଭାଗ ମୁଖ୍ୟ ଅଧ୍ୟାପକ ତପନ କୁମାର ନାୟକ, ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ବିଶ୍ୱରଞ୍ଜନ ଦାସ, ଇଂରାଜୀ ବିଭାଗ ଅଧ୍ୟାପକ ଡକ୍ଟର ରାଜେନ୍ଦ୍ର ଭୁଏ, ଡକ୍ଟର ସାଣ୍ଡ୍ରା ରୋଜାରିଓ, ଡକ୍ଟର ସୁଜାତାରାଣୀ ଗିରି, ଅଧ୍ୟାପିକା ରଜନୀଗନ୍ଧା ପତି, ଅଧ୍ୟାପିକା ହୀରକଲତା ଦାଶ, ପଦ୍ମାଳୟା ଖଟୁଆ, ସ୍ୱପ୍ନା ରାୟ, ବୈଷ୍ଣବ ଚରଣ ମହାନ୍ତି, ଅଜୟ କୁମାର ପୃଷ୍ଟି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଯୁକ୍ତତିନି ରାଜନୀତି ବିଜ୍ଞାନ ତୃତୀୟବର୍ଷ ଛାତ୍ରୀ ଦିବ୍ୟଜ୍ୟୋତି ପ୍ରଧାନ, ମନୀଷା ମିଶ୍ର, ଦ୍ୱିତୀୟବର୍ଷ ଛାତ୍ରୀ ଜ୍ୟୋତିପ୍ରଭା ଜେନା, ଯୁକ୍ତତିନି ସାଧାରଣ ପ୍ରଶାସନ ବିଭାଗ ତୃତୀୟବର୍ଷ ଛାତ୍ରୀ ସୁଦେଷ୍ଣା ସାହୁ ଓ ଦ୍ୱିତୀୟ ବର୍ଷ ଛାତ୍ରୀ ଅର୍ପିତା ମହଲ ବିଷୟଭିତ୍ତିକ ପ୍ରବନ୍ଧ ଉପସ୍ଥାପନ କରିଥିଲେ । ଶେଷରେ ଉଭୟ ସମ୍ମାନ ବିଭାଗର ଛାତ୍ରଛାତ୍ରୀ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ଦେବାଶିଷ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
