ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ
କଟକ : କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ବାଦାମବାଡି ନିୟୁ କଲୋନି ହାଇସ୍କୁଲ ସଭାଗୃହରେ ପାଳିତ ହୋଇଯାଇଛି । ଜିଲ୍ଲା ଓ ଦୈାରା ଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ସୈାମେନ୍ଦ୍ର ରାଜଗୁରୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜଜ୍ ସ୍ରୋତସ୍ୱିନୀ କର, ବରିଷ୍ଠ ଦେୱାନି ବିଚାରପତି ଗୀତାଞ୍ଜଳି ନନ୍ଦ, ଜିଲ୍ଲା ଆଇନସେବା ପ୍ରାଧିକରଣର ସଂପାଦିକା ସ୍ୱୟଂପ୍ରଭା ଆଚାର୍ଯ୍ୟ, ବରିଷ୍ଠ ଆଇନଜୀବୀ ବିଜୟ କୁମାର ପଣ୍ଡା, ମେଡିକାଲ ଅଫିସର ଡ. ଲଳିତା ସାମଲ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଜିଲ୍ଲା ଜଜ୍ ଶ୍ରୀ ରାଜଗୁରୁ ପିଲାମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ସଚେତନ କରିବା ସହିତ ସେମାନେ କିପରି ଭବିଷ୍ୟତରେ ଭଲ ମଣିଷ ହୋଇପାରିବେ ସେ ବିଷୟରେ ନୀତି ଉପଦେଶ ଦେଇଥିଲେ । ଆଇନଜୀବୀ ଶ୍ରୀ ପଣ୍ଡା ମହିଳାମାନଙ୍କ ଉପରେ ଥିବା ବିଭିନ୍ନ ଆଇନ ଘରୋଇ ହିଂସା, ବାଲ୍ୟ ବିବାହ ଉଚ୍ଛେଦ ଆଇନ, କିଶୋର ନ୍ୟାୟ ଆଇନ, ଶିଶୁମାନଙ୍କୁ ଯୈାନ ଅପରାଧରୁ ସୁରକ୍ଷା ଆଇନ(ପୋକସୋ) ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଦୁର୍ଗେଶନନ୍ଦିନୀ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ମମତା ମିଶ୍ର ଧନ୍ୟବାଦ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ୧୦୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସମସ୍ତ ଶିିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିଥିଲେ ।
