ବାଙ୍ଗୁରୀଗାଁ ପଞ୍ଚାୟତରେ ଅନିୟମିତତା ନେଇ ଗ୍ରାମବାସୀଙ୍କ ଅଭିଯୋଗ
କାକଟପୁର : ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ବାଙ୍ଗୁରି ଗାଁ ପଞ୍ଚାୟତରେ ବର୍ଷେ ନପୁରୁଣୁ ସରପଞ୍ଚ ମନଇଛା ଓ ଦୁର୍ନିତି କାର୍ଯ୍ୟ କରି ଲକ୍ଷାଧିକ ଟଙ୍କା ହଡ଼ପ କରୁଥିବା ନେଇ ବାଣିଆ ଗ୍ରାମବାସୀ ମାନେ ସଂଘାତିକ ଅଭିଯୋଗ କରିଛନ୍ତି । ଏନେଇ ୱାର୍ଡ ମେମ୍ବରଙ୍କ ସହିତ ଶତାଧିକ ଗ୍ରାମବାସୀ ତୀବ୍ର ବିରୋଧ କରିବା ସହିତ କାକଟପୁର ବ୍ଲକ ଅଧିକାରୀ, ପୁରୀ ଜିଲ୍ଲାପାଳ, ୫ଗ୍ଧ ମୋ ସରକାରରେଙ୍କୁ ଅଭିଯୋଗ କରିଛନ୍ତି । ସୂଚନା ଯୋଗ୍ୟ ଯେ ବାଣିଆ ଗ୍ରାମ ମହାବୀର ଖେଳ ପଡିଆ ପାଇଁ ପୁର୍ବ ସରପଞ୍ଚଙ୍କ ଜରିଆରେ ୨ ଲକ୍ଷ ଟଙ୍କା ଅନୁଦାନ ଥିବା ବେଳେ ବର୍ତମାନ ସରପଞ୍ଚ ପୂର୍ବରୁ ଥିବା ଏକ ପୁରୁଣା ଷ୍ଟେଜ ପିଣ୍ଡିକୁ ସିମେଣ୍ଟ ଓ କିଛି ଟାଇଲ ଲଗାଇ ୨ ଲକ୍ଷ ଟଙ୍କା ହଡ଼ପ ଯୋଜନା କରି ବିଲ କରିବା ପାଇଁ ବ୍ଲକ ଯନ୍ତ୍ରୀଙ୍କ ଜରିଆରେ ବିଲ ପାସ କରିବାକୁ ମସୁଧା କରୁଥିବା ଜଣାପଡିଛି । ଏଥି ସହିତ ଗ୍ରାମର ଏକ ପୁରୁଣା ବୋଇରାଣୀ ପୋଖରୀର ଗାଧୁଆ ପାହାଚ ଓ ଲୁଗା ପରିଧାନ ଗୃହ ନିର୍ମାଣ ପାଇଁ ଅଢେଇ ଲକ୍ଷ ଟଙ୍କା ଆସିଥିବା ବେଳେ ସରପଞ୍ଚ ଚଞ୍ଚକତା କରି ଉକ୍ତ ଅର୍ଥକୁ ଅନ୍ୟତ୍ର ନେଇ କାମ କରି ଲୁଟିଥିବା ଅଭିଯୋଗ ହୋଇଛି । ଏନେଇ ଉଚ୍ଚ କର୍ତ୍ତୃପକଷଙ୍କୁ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଯଦି ଏହାର ବିଧିବଦ୍ଧ ତଦନ୍ତ କରାଯାଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାନଯାଏ ଆଗାମୀ ଦିନରେ ପଂଚାୟତ ବାସି ମାନେ ପଞ୍ଚାୟତ କାର୍ଯ୍ୟଳୟ ଓ ବ୍ଲକ ଅଫିସ ଘେରାଉ କରିବେ ବୋଲି ଗ୍ରାମର ୱାର୍ଡ ମେମ୍ବର ବିଷ୍ଣୁ ଚରଣ ମହାରଣା, ଭୋବନି ମହାରଣା, ଦିଲୀପ ମୁଦୁଲି, ମୋହନ ମୁଦୁଲି, ଶରତ ମହାରଣା, ତ୍ରିଲୋଚନ ମଲ୍ଲିକ, ଚନ୍ଦ୍ରମଣି ମଲ୍ଲିକ ଙ୍କ ସମେତ ଶତାଧିକ ବ୍ୟକ୍ତି ଓ ମହିଳା ମାନେ ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ଏନେଇ ବ୍ଲକ କନିଷ୍ଠ ଯନ୍ତ୍ରୀ ଭାଗ୍ୟଧର ଧଳଙ୍କୁ ପଚାରିବାରୁ ସେ କହିଲେ ମୁଁ ନୁଆ ଆସିଛି କିଛି କାମ ବିଷୟରେ ଜାଣିନାହିଁ । ସରପଞ୍ଚ ପାର୍ଥ ବେହେରାଙ୍କୁ ପଚାରିବାରୁ ସେ କହିଲେ ଯେ ପୁରୁଣା ପୋଖରୀ ହୋଇଥିବାରୁ ସେହି ଗ୍ରାମର ଲୋକ ମାନଙ୍କ ଭିତରେ ସମସ୍ୟା ଥିବାରୁ ପୋଖରୀ କାର୍ଯ୍ୟ ନହେବାରୁ ବ୍ଳକ୍ ଅଧିକାରୀଙ୍କ ନିର୍ଦ୍ଦେଶରେ ଅନ୍ୟତ୍ର ଉନ୍ନୟନ କାର୍ଯ୍ୟ ହୋଇଛି । ଖେଳ ପଡିଆ ବିଲ୍ ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇନାହିଁ, ଖେଳ ପଡିଆର ଉନ୍ନୟନ କାର୍ଯ୍ୟ କରାଯିବ ବୋଲି ନିଜର ମତାମତ ଦେଇଥିଲେ ।
