ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ରାମଚନ୍ଦ୍ର ମହାନ୍ତି, କଲିକତାର ବିଶିଷ୍ଟ ବୈଜ୍ଞାନିକ ଯଯାତି କେଶରୀ ନାୟକ ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସମୟରେ ବିଜ୍ଞାନର ଉପଯୋଗୀତା ବହୁଜନ ହିତ ସାଧନକୁ ପ୍ରାଥମିକତା ଦେଇ ବିକଶିତ ହେବା ଉଚିତ୍ ବୋଲି ପ୍ରକାଶ କରିଥିଲେ ।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ପାରଦର୍ଶିତା ଲାଭ କରି ଏକ ହିତକର ପରିବେଶରେ ବଞ୍ôଚବା ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ଆହ୍ୱାନ ବୋଲି ପ୍ରକାଶ କରିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ମୁନେଶ୍ ଚନ୍ଦ୍ର ଅଧିକାରୀ ବିଜ୍ଞାନ ମାନବୀୟ ଅନୁଭବ ଏବଂ ଅନୁସନ୍ଧାନର ଶ୍ରେଷ୍ଠ ଜ୍ଞାନ ବୋଲି ମତ ଦେଇଥିଲେ । ସେହିପରି ଡ. ସନ୍ତୋଷ ଅଗ୍ରୱାଲା ଗୋଟିଏ ପ୍ରଗତିଶୀଳ ଜାତୀୟ ଜୀବନରେ ବଞ୍ଚିବା ନିମିତ୍ତ ବିଜ୍ଞାନର ଭୂମିକାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ ବୋଲି ପ୍ରକାଶ କରିଥିଲେ । ବିଶ୍ୱବିଦ୍ୟାଳୟର ବିଜ୍ଞାନ ବିଭାଗ ଗୁଡ଼ିକ ତରଫରୁ ପ୍ରାଣୀବିଜ୍ଞାନ ବିଭାଗ ଆନୁକୂଲ୍ୟରେ ସ୍ଥଳଚର ଏବଂ ଜଳଚର ଜୀବ ମାନଙ୍କୁ ନେଇ ଅନୁ୍ଷ୍ଠିତ ହୋଇଥିବା ବିଜ୍ଞାନ ମେଳା ପ୍ରଦର୍ଶନୀ ଅତ୍ୟନ୍ତ ରୋଚକ ଓ କୌତୁହଳ ପ୍ରଦ ଥିଲା । ଏଥିରେ ଡଗୁଆ, ଚମ୍ପା, ଗାଙ୍ଗୀତୁଡ଼ି, ପାତିଆ, ସାର୍କ, କୁକୁରଜିଭା, ପୁଫର୍, ସାଙ୍କୁଚ ଆଦି ମାଛ, ନାଲି କଙ୍କଡ଼ା, ନୀଳ କଙ୍କଡ଼ା, ବିଲ କଙ୍କଡ଼ା, ଧଳା ଚିଙ୍ଗୁଡ଼ି କଳା ଚିଙ୍ଗୁଡ଼ି, କଙ୍କ, ବିଛା, ବଡ଼ ତେଲୁଣୀପୋକ, ଅକ୍ଟୋପସ ଆଦି ସହିତ ନାଗ, ରଣା, ଚନ୍ଦନବୋଡ଼ା, ଚିଟିସାପ, ଡାଳୁଆ, ଲାଉଡ଼ଙ୍କ, କାଣ୍ଡନାଳ, ଚିକ୍କଣି ଆଦି ସର୍ପ ଗୁଡ଼ିକ ଏଥିରେ ସ୍ଥାନିତ ହୋଇଥିଲା । ବିଦ୍ୟାର୍ଥୀମାନେ ଏହି ଜୀବବିଜ୍ଞାନ ପ୍ରଦର୍ଶନୀରେ ଅଂଶଗ୍ରହଣ କରି ନିଜନିଜର ଗବେଷଣାତ୍ମକ ଅନୁଭୂତି ବିତରଣ କରିଥିଲେ ।
