ମାର୍କୋଣା ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବିଂଶତମ ବାର୍ଷିକ ଉତ୍ସବ
ସିମୁଳିଆ : ସିମୁଳିଆ ବ୍ଲକ ଅଧୀନ ମାର୍କୋଣା ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଆଚାର୍ଯ୍ୟ ଗୌରାଙ୍ଗ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲାପରିଷଦ ରମେଶଚନ୍ଦ୍ର ସାହୁ ଯୋଗଦେଇ ବିଦ୍ୟାଳୟ ହେଉଛି ମଣିଷ ତିଆରି କାରାଖାନା ବୋଲି କହିଥିଲେ ।
ମୁଖ୍ୟବକ୍ତା ରୂପେ ଗୋପପ୍ରାଣ ମହାବିଦ୍ୟାଳୟର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସିଂହ ସମାଜରେ ଆଦର୍ଶ ଛାତ୍ରୀଛାତ୍ରଙ୍କ ସ୍ଥାନ ସ୍ୱତନ୍ତ୍ର ବୋଲି କହିଥିଲେ । ସେହିପରି ସମ୍ମାନୀତ ଅତିଥି ରୂପେ ରାଇକୁଳା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଗୌତମ ବେହେରା ଶିଶୁ ଶିକ୍ଷାରେ ଅଭିଭାବକଙ୍କ ଭୂମିକା, ଉତ୍ତମ ଛାତ୍ର ଗଠନ, ଆଦର୍ଶ ପରିବାର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ କମଳାକାନ୍ତ ନାୟକ, ସିମୁଳିଆ ସହଗୋଷ୍ଠି ଶିକ୍ଷା ଅଧିକାରୀ ଗଦାଧର ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଏହି ବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ତଥା ଡାକ୍ତରୀ ଛାତ୍ରୀ ସୁଶ୍ରୀ ଦୁର୍ଗେଶ ନନ୍ଦିନୀ ସାହୁଙ୍କ ସମେତ ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ କୃତ୍ତି ୫୧ଜଣ ଛାତ୍ରୀଛାତ୍ରଙ୍କୁ ସମ୍ମାନୀତ କରାଯାଇଥିଲା । ଆଚାର୍ଯ୍ୟ ବସନ୍ତ କୁମାର ମଲିକ ଅତିଥି ପରିଚୟ ପ୍ରଦାନ, ବସନ୍ତ କୁମାର ପଣ୍ଡା ବାର୍ଷିକ ବିବରଣୀ ପାଠ ଓ ସୁଶ୍ରୀ ଲକ୍ଷ୍ମୀପ୍ରିୟା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
