କେନ୍ଦ୍ରୀୟ ଜଳ ଆୟୋଗ ପ୍ରତିନିଧିଙ୍କ କଟକ ଜିଲ୍ଲା ଗସ୍ତ ଜଳ ସଂରକ୍ଷଣ ଓ ବିନିଯୋଗ ଉପରେ ଗୁରୁତ୍ୱ
କଟକ : କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା କେନ୍ଦ୍ରୀୟ ଜଳ ଆୟୋଗ(ସିଡବ୍ଲ୍ୟୁସି) ସଦସ୍ୟଙ୍କ ଏକ ୫ ଜଣିଆ ଟିମ୍ ଆଜି କଟକ ଜିଲ୍ଲା ଗସ୍ତ କରି ଜଳ ଯୋଗାଣ, ୱାଟକୋ ପକ୍ଷରୁ ବିନିଯୋଗ କରାଯାଉଥିବା ଜଳର ସୁପରିଚାଳନା, କ୍ଷୁଦ୍ର ଜଳସେଚନ, ଜଳ ନିଷ୍କାସନ ସର୍ବୋପରି ଜଳର ସଂରକ୍ଷଣ ଓ ବିନିଯୋଗ ଉପରେ ଅନୁଧ୍ୟାନ କରିଛନ୍ତି । ତେବେ ଜାତୀୟ ସ୍ତରରେ ହେବାକୁ ଥିବା ଚତୁର୍ଥ ଜାତୀୟ ଜଳ ବିନିଯୋଗ ସମ୍ମାନ ପାଇଁ ଓଡିଶା ଉପଯୁକ୍ତ ହେବ କି ନା ସେନେଇ ସଦସ୍ୟମାନେ ବିଭିନ୍ନ ଅଂଚଳ ପରିଦର୍ଶନ କରି ଜଳ ସଂପଦ ବିଭାଗ ପକ୍ଷରୁ ନିଆଯାଇଥିବା କାର୍ଯ୍ୟାବଳୀକୁ ଅନୁଧ୍ୟାନ କରିଥିଲେ । କଟକ କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ ପୂର୍ବାଂଚଳ ମଣ୍ଡଳ ମୁଖ୍ୟ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥଙ୍କ ନେତୃତ୍ୱରେ ସିଡବ୍ଲ୍ୟୁସିର ସଦସ୍ୟ ଇଂ ଏ ରାଜଶେଖର, ସହକାରୀ ନିର୍ଦ୍ଦେଶକ ଏସ ଚକ୍ରବର୍ତ୍ତୀ, କେନ୍ଦ୍ରୀୟ ଭୂତଳ ପରିଷଦର ସଦସ୍ୟ ଏସ କେ ମହାନ୍ତି, ଜାତୀୟ ହାଇଡ୍ରୋ ପ୍ରୋଜେକ୍ଟ ସଦସ୍ୟ ସୁଜିତ ମହାରଣା, ଓସିସିର ବରିଷ୍ଠ ପରିଚାଳକ ପ୍ରୀତମ ପୋଥାଳ ପ୍ରମୁଖ ଏହି ତଦାରଖ ସମୟରେ ଉପସ୍ଥିତ ଥିଲେ । ସଦସ୍ୟମାନେ ତ୍ରିଶୂଳିଆସ୍ଥିତ ଅଟୋମେଟିକ ୱାଟର ଲେବୁଲ ପ୍ରକଳ୍ପ, ଜଳ ସଂପଦ ବିଭାଗ ପକ୍ଷରୁ ବର୍ଷା ଜଳ ସଂରକ୍ଷଣ ପାଇଁ ରେନ ଫଲ ଗେଜ୍, ୱାଟକୋ ପକ୍ଷରୁ ନିଆଯାଇଥିବା ଡ୍ରିଙ୍କସ ଫ୍ରମ୍ ଟ୍ୟାପ୍ ସିଷ୍ଟମ୍, କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ସଂପନ୍ନ ହୋଇଥିବା ଚେକ୍ ଡ୍ୟାମର କାର୍ଯ୍ୟଦକ୍ଷତାକୁ ବୁଲି ଦେଖିଥିଲେ । ଯଦି ଜଳ ଯୋଗାଣ, ସଂରକ୍ଷଣ ଓ ବିନିଯୋଗ ଉପରେ ସଦସ୍ୟମାନଙ୍କର ସୁପାରିସ ହୁଏ ତେବେ ଓଡିଶା ଚତୁର୍ଥ ଜାତୀୟ ଜଳ ବିନିଯୋଗ ସମ୍ମାନ ପାଇବା ଲାଗି ବିବେଚିତ ହେବ । ସଦସ୍ୟମାନେ ଆଜି ନରସିଂହପୁରର ପଦ୍ମପାଳ ମେଗା ଲିଫ୍ଟ, ମା ମଙ୍ଗଳା ଏମଆଇ ପ୍ରକଳ୍ପ, ବାଲିଚତୁରି ଚେକ୍ ଡ୍ୟାମ୍, ଜଗତପୁର ୪୮ ନମ୍ବର ୱାର୍ଡର ଜଳ ଯୋଗାଣ ପ୍ରକଳ୍ପ ଆଦିକୁ ବୁଲି ଦେଖିଥିଲେ । ସିଡବ୍ଲ୍ୟୁସିର ସଦସ୍ୟମାନଙ୍କ ସହିତ ୱାଟକୋର ମୁଖ୍ୟ ପରିଚାଳକ ଦେବବ୍ରତ ମହାନ୍ତି, ସହକାରୀ ପରିଚାଳକ ସୁବର୍ଣ୍ଣା ଶତପଥୀ, ଦୟାନିଧି ବେହେରା, କ୍ଷୁଦ୍ର ଜଳ ସଂପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ବେହେରା, ବେଦପ୍ରକାଶ ନାୟକଙ୍କ ସମେତ ଡ୍ରେନେଜ ଡିଭିଜନର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ, ଜଳ ସଂପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ରାଜେଶ ମହାନ୍ତି, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ମଳୟ କୁମାର ସାହୁ, ସହକାରୀ ଯନ୍ତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଜଳ ସଂରକ୍ଷଣ ଓ ବିନିଯୋଗ ଉପରେ ସଦସ୍ୟମାନଙ୍କୁ ଅବଗତ କରାଇଥିଲେ ।
