କଲେଜଛକ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ
କଟକ : ସ୍ଥାନୀୟ କଲେଜଛକ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏବିଆଇଟିର ସହକାରୀ ପ୍ରଫେସର ଡ. ଜୟସିଂ ମିଶ୍ର ଯୋଗଦେଇ ବୈଜ୍ଞାନିକ ସି ଭି ରମଣଙ୍କ ଭଳି ବିଜ୍ଞାନ ଅନୁସନ୍ଧାନୀ ହେବାକୁ ପିଲାମାନଙ୍କୁ ପ୍ରେରଣା ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଜ୍ଞାନ ଆଚାର୍ଯ୍ୟ ମନୋଜ କୁମାର ସାହୁ ଏହି ଦିବସର ଆଭିମୁଖ୍ୟ ଓ ରମଣତତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ସହକାରୀ ପ୍ରଫେସର ସରିତା ମହାନ୍ତି ଓ ରଶ୍ମିରେଖା ସ୍ୱାଇଁଙ୍କ ସମେତ ଏବିଆଇଟି ଛାତ୍ରଛାତ୍ରୀମାନେ କମ୍ପ୍ୟୁଟର କୋଡିଂ ସମ୍ବନ୍ଧରେ ଶିକ୍ଷା ପ୍ରଦାନ କରିଥିଲେ । ବିଦ୍ୟାଳୟର ଛାତ୍ର ଓମପ୍ରକାଶ ମିଶ୍ର, ଛାତ୍ରୀ ଦେବସ୍ମିତା ପ୍ରଧାନ ସିଭି ରମଣଙ୍କର ଜୀବନ ଦର୍ଶନ ବିଷୟରେ ବକ୍ତୃତା ଦେଇଥିଲେ । ଆଚାର୍ଯ୍ୟା ବବିତା ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମର ଶେଷରେ ଦିବା ଅଧିବେଶନର ପର୍ଯ୍ୟାୟ ପ୍ରମୁଖ ଆଚାର୍ଯ୍ୟ ରାମଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ । ବରିଷ୍ଠ ବିଜ୍ଞାନ ଆଚାର୍ଯ୍ୟା ମମତା ବେହେରାଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା ।
