ବରିଷ୍ଠ ଖବରକାଗଜ ବିକ୍ରେତା ଶୈଳେନ୍ଦ୍ର ପୁହାଣଙ୍କ ପରଲୋକ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଗୁଆମାଳ ପଞ୍ଚାୟତ ଅଧୀନ ଈଶାଣପୁର ଗ୍ରାମର ବରିଷ୍ଠ ଖବରକାଗଜ ବିକ୍ରେତା ତଥା ସମାଜସେବୀ ଶୈଳେନ୍ଦ୍ର ପୁହାଣ(୮୬)ଙ୍କର ରବିବାର ରାତିରେ ପରଲୋକ ହୋଇ ଯାଇଛି । ସେ ଗତ କିଛିଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପିଡ଼ିତ ଥିଲେ । ସ୍ୱର୍ଗତ ପୁହାଣ ଦୀର୍ଘଦିନ ଧରି ଦୋଳସାହି ବଜାର ସହିତ ଆଖପାଖ ଅଞ୍ଚଳରେ ଖବରକାଗଜ ବିକ୍ରେତା ଭାବେ ପରିଚିତ ଥିଲେ । ସେ ଜଣେ ସମାଜସେବୀ, ଶାନ୍ତ, ସରଳ, ଅମାୟିକ ଓ ଧର୍ମପରାୟଣ ବ୍ୟକ୍ତି ଥିବା ବେଳେ କଂଗ୍ରେସ ଦଳରେ ଦୀର୍ଘଦିନ ଧରି ସକ୍ରିୟ ଭାବରେ ରହି ଦଳକୁ ସୁସଂଗଠିତ କରିଆସୁଥିଲେ । ଏଥି ସହିତ ସେ ଗୁଆମାଳ ବୀଣାପାଣି ହାଇସ୍କୁଲ ଓ ସଂସ୍କୃତ ମହାବିଦ୍ୟାଳୟର ସମ୍ପାଦକ ଭାବେ ରହି କାର୍ଯ୍ୟ ତୁଲାଇଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ସମାଜସେବୀ ଭରତ ଚନ୍ଦ୍ର ସାହୁ, କାର୍ତ୍ତିକ ଚନ୍ଦ୍ର ତ୍ରିପାଠୀ, ପ୍ରଦୀପ କୁମାର ପଣ୍ଡା, ଯତୀନ୍ଦ୍ର ମହାନ୍ତି, ମାନସ ପାଠୀ, ପ୍ରମୋଦ କୁମାର ନାୟକ, ସୁଧାଂଶୁ ପାଣିଗ୍ରାହୀ, ସୁକାନ୍ତ ପାଣିଗ୍ରାହୀ, ସୁଶାନ୍ତ ପାଣିଗ୍ରାହୀ, ପ୍ରିୟରଂଜନ ବେହେରା, ବିଜୟ କୁମାର ଜେନା, ତନ୍ମୟ ସାମଲ, ଅଜୟ ତ୍ରିପାଠୀ, ଅନିରୁଦ୍ଧ ଜେନା, କିଶୋର ପୁହାଣ ପ୍ରମୁଖ ତାଙ୍କ ଶବାଧାରରେ ଯାଇ ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ମର ଶରୀରକୁ ଗୁଆମାଳ ପଞ୍ଚାୟତର ବିଭିନ୍ନ ଗ୍ରାମ ସହିତ ବୀଣାପାଣି ହାଇସ୍କୁଲ ଓ ସଂସ୍କୃତ ମହାବିଦ୍ୟାଳୟକୁ ଶୋଭାଯାତ୍ରାରେ ନିଆଯାଇଥିଲା । ତାଙ୍କର ବଡ଼ପୁଅ ନରେନ୍ଦ୍ର ପୁହାଣ ମୁଖାଗ୍ନି ଦେଇଥିବା ବେଳେ ସାନପୁଅ ଜ୍ଞାନେନ୍ଦ୍ର ପୁହାଣଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ ।
