ତିହିଡ଼ି ଅଲେଖ ମହିମା ମଠରୁ ଚୋରି ଘଟଣାରେ ଆଉଜଣେ ଅଭିଯୁକ୍ତ ଗିରଫ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତ ମିର୍ଜାପୁର ଗ୍ରାମରେ ଥିବା ଅଲେଖ ମହିମା ମଠରୁ ଗତ ୫ତାରିଖ ରାତିରେ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଚୋରି ହୋଇ ଥିବା ଘଟଣାରେ ପୁଲିସ ଆଉଜଣେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ବାଂଶଡ଼ାଥାନା ଅଧୀନ ଜନ୍ତୁଆଳି ପୋଖରିଆସାହି ଗ୍ରାମର ବନମାଳି ନାଥଙ୍କ ପୁଅ ସଂଜୟ ନାଥ । ସୂଚନା ଯୋଗ୍ୟ ଯେ, ଫେବୃଆରୀ ୩ତାରିଖରେ ଢେଙ୍କାନାଳ ସ୍ଥିତ ଯୋରନ୍ଦା ଗାଦିକୁ ପୂର୍ଣ୍ଣମୀ ଉପଲକ୍ଷେ ମଠର ବାବାଜୀ ଗଣେଶ ଦାସ ଯାଇଥିଲେ । ସେ ଫେବୃଆରୀ ୬ତାରିଖ ସୋମବାର ମଧ୍ୟାହ୍ନ ୧ଘଟିକା ସମୟରେ ଯୋରନ୍ଦାରୁ ଫେରି ମିର୍ଜାପୁର ମଠରେ ପହଞ୍ôଚ ଥିଲେ । ମଠରେ ପହଞ୍ôଚବା ପରେ ଦେଖିଥିଲେ ଯେ ମଠର ଗ୍ରୀଲ କଟାଯାଇ ଘର ଓ ବାକ୍ସ ତାଲା ଭାଙ୍ଗି ବାକ୍ସରେ ଗଚ୍ଛିତ ଥିବା ଦାନ ଭିକ୍ଷା ଓ ମଠର ଘରଭଡ଼ା ମିଶି ପ୍ରାୟ ୧୦ଲକ୍ଷରୁ ଉର୍ଦ୍ଧ୍ୱ ନଗଦ ଟଙ୍କା କେହି ଦୁର୍ବୁତ୍ତ ଚୋରି କରି ନେଇଯାଇଛି । ପୂର୍ବରୁ ଏହି ମଠରେ ରହୁଥିବା ଜୟଦେବ ଦାସ ଟଙ୍କା ଚୋରି କରିଥିବା ନେଇ ମଠର ବାବାଜୀ ଶ୍ରୀ ଦାସ ଥାନାରେ ଅଭିଯୋଗ କରିଥିଲେ । ପରେ ପୁଲିସ କେଶ ନଂ ୬୫/୨୩ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ତଦନ୍ତ କରିଥିଲେ । ଏହି ଘଟଣାରେ ପୂର୍ବରୁ ସାପକାତିଆ ମଠ ଦାୟିତ୍ୱରେ ଥିବା ଜୟଦେବ ଦାସ ଏବଂ ତାଙ୍କର ସହଯୋଗୀ ଅଖୁଜା ଦାସ ନାମକ ୨ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା । ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ଅଫିସର ଅରୁନ୍ଧତୀ ବେହେରା ପ୍ରକାଶ କରିଛନ୍ତି ।
