ଗୁରୁକୁଳ ଶିକ୍ଷାନିକେତନର ପ୍ରତିଷ୍ଠା ଦିବସ ପାଳିତ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧୀନ ସେନବାଡ଼ ସ୍ଥିତ ଗୁରୁକୁଳ ଶିକ୍ଷାନିକେତନର ୧୩ତମ ପ୍ରତିଷ୍ଠା ଦିବସ ଓ ବିଶ୍ୱ ମାତୃତ୍ୱ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ସ୍କୁଲର ଅଧ୍ୟକ୍ଷ ଦୈତାରୀ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ପଣ୍ଡିତ ଦୈତାରୀ ମହାପାତ୍ର, ମୁଖ୍ୟବକ୍ତା ଭାବେ ଓଡ଼ିଶା ଶିକ୍ଷା ବିକାଶ ପରିଷଦ ସଂଯୋଜିକା ସୁଶ୍ରୀ ମିତାଞ୍ଜଳି ନାୟକ, ସମ୍ମାନିତ ବକ୍ତା ସରପଞ୍ଚ ସୁପ୍ରଭା ପାଣି, ସମ୍ମାନିତ ଅତିଥି ସମାଜସେବୀ ପ୍ରଫୁଲ୍ଲ କୁମାର ପାଢ଼ୀ ଓ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଅବନ୍ତୀ ପଣ୍ଡା ପ୍ରମୁଖ ଯୋଗ ଦେଇ ଗୁରୁକୁଳ ଶିକ୍ଷା ନିକେତନ ପିଲାମାନଙ୍କୁ ପାଠ୍ୟପୁସ୍ତକ ଶିକ୍ଷା ସହିତ ଆଧ୍ୟାତ୍ମିକତା ଉପରେ ଶିକ୍ଷାଦାନ କରିଥାଏ ବୋଲି କହିଥିଲେ । ଶିକ୍ଷୟିତ୍ରୀ ଶାନ୍ତିଲତା ଗିରି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ଦୈତାରୀ ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସ୍କୁଲ ପରିସରରେ ପିଲାମାନଙ୍କ ପାଇଁ ଏକ ପ୍ରାଚୀର ପତ୍ରିକାକୁ ଅତିଥିମାନେ ଉଦ୍ଘାଟନ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ୩୯ଜଣ ପୁରୁଷ ଓ ମହିଳାଙ୍କୁ ବସ୍ତ୍ର ବଣ୍ଟନ କରିଥିଲେ । ଶିକ୍ଷାନିକେତନର କୃତୀ ଛାତ୍ରୀ ସଂଘମିତ୍ରା ମହାକୁଡ଼, ବିମଳା ବାରିକ ଓ ଜ୍ୟୋତିରେଖା ବେହେରାଙ୍କୁ ଡ. ସଚିନ କୁମାର ଗିରି ସ୍ମୃତି ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂସଦର ଆବାହିକା ଶାନ୍ତିଲତା ଗିରି କଣ୍ଠଶିଳ୍ପୀ ଅଭିମନ୍ୟୁ ଜେନାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆମ ଓଡ଼ିଶାର ଶିଳ୍ପୀକୁଳ ନାମରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁଷ୍ପାଞ୍ଜଳି ଶତପଥି ସ୍ୱାଗତ ନୃତ୍ୟ ପରିବେଷଣ କରିଥିବା ବେଳେ କବି ବିଜୟ ବେହେରା, ମୁକୁନ୍ଦଦେବ ନାୟକ, ବାଇଧର ସେଠୀ, କିଶୋର ନାୟକ, ଆଶୁତୋଷ କରଣ, ରବିକୁମାର ମହାନ୍ତି, ସୁମତୀ ମହାଳିକ, ପଦ୍ମିନୀ ଜେନା, ପ୍ରମୁଖ କବିତା ପାଠ କରିବା ସହ ଉତ୍ସବ ପରିଚାଳନା କରିଥିଲେ । ଶେଷରେ ସ୍କୁଲ ପରିଚାଳନା କମିଟି ସଭାପତି ପଦନ ଚରଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
