କୋଇଲା ବୋଝେଇ ଗାଡ଼ି ଧକ୍କାରେ ଜଣେ ମୃତ, ଗାଡ଼ି ପୋଡ଼ିଦେଲେ ଉତ୍ତ୍ୟକ୍ତ ଲୋକେ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ଥାନା ବାହାବଳପୁର ପଞ୍ଚାୟତ ଅଧୀନ କହ୍ନେଇବିନ୍ଧା ଗ୍ରାମର ଶରତ ବାରିକ (୪୫) ନାମକ ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ରାତିରେ ଏକ କୋଇଲା ବୋଝେଇ ପିକ୍ଅପ୍ ଭ୍ୟାନ ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ମୃତ୍ୟୁ ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଫଳରେ ଉତ୍ତ୍ୟକ୍ତ ଲୋକମାନେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ପୋଡ଼ି ଦେଇଛନ୍ତି । ଏ ସମ୍ପର୍କରେ ପୁଲିସ କେଶ ନଂ ୮୨/୨୩ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଚଳାଇଛି । ପ୍ରକାଶ ଯେ, ମଙ୍ଗଳବାର ରାତିରେ ଦୋହରାସାହି ଗ୍ରାମ ନିକଟରେ ଶରତ ରାସ୍ତାରେ ଯାଉଥିବା ବେଳେ ଚୋରା କୋଇଲା ବୋଝେଇ କରି ଯାଉଥିବା ଏକ ପିକ୍ଅପ୍ ଭ୍ୟାନ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଶରତ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।
