ତିହିଡ଼ିରେ ନୂତନ ଥାନାଅଧିକାରୀଙ୍କ ଯୋଗଦାନ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ଥାନାର ନୂତନ ଥାନା ଅଧିକାରୀ ଭାବେ ଏମ.ଡି. ହାଫିଜ୍ ସୋମବାର ଯୋଗଦାନ କରିଛନ୍ତି । ସେ ପୂର୍ବତନ ଥାନା ଅଧିକାରୀ ତପନ ପ୍ରଧାନଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡ଼ିଛି । ନୂତନ ଥାନା ଅଧିକାରୀ ହାଫିଜ୍ ଭଦ୍ରକ ଜିଲାର ବିଭିନ୍ନ ଥାନାରେ ଦକ୍ଷତାର ସହ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି । ଇତି ପୂର୍ବରୁ ସେ ବାଂଶଡ଼ା ଥାନା ଅଧିକାରୀଭାବେ କାର୍ଯ୍ୟ କରୁଥିଲେ । ତିହିଡ଼ି ଥାନାରେ ଯୋଗଦାନ କରିବା ପରେ ତିହିଡ଼ି ଅଞ୍ଚଳର ଚୋରା ମଦ, ଚୋରା କୋଇଲା ଚାଲାଣ, ଚୋରି, ଡକାୟତି ଓ ବିଭିନ୍ନ ଅପରାଧମୂଳକ କାର୍ଯ୍ୟ ରୋକିବା ସହିତ ଟ୍ରାଫିକ୍ ସମସ୍ୟାକୁ ଦୂର କରିବା ଦିଗରେ ଦୃଢ଼ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି । ଏଥି ସହିତ ତିହିଡ଼ି ଅଞ୍ଚଳର ଜନସାଧାରଣଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ ଦିଗରେ ଯତ୍ନବାନ ହେବେ ବୋଲି କହିଛନ୍ତି । ସେ ଯୋଗଦାନ କରିବା ପରେ ତିହିଡ଼ି ଅଞ୍ଚଳର ବିଭିନ୍ନ ସାମାଜିକ ସଂଗଠନ ଓ ରାଜନୈତିକ ସଂଗଠନର କର୍ମକର୍ତ୍ତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
