ତୀର୍ଥଯାତ୍ରାରେ ଗଲେ ୧୭୫ ବରିଷ୍ଠ ନାଗରିକ
କେନ୍ଦୁଝର : ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ କେନ୍ଦୁଝର ଜିଲ୍ଲାର ୧୭୫ଜଣ ବରିଷ୍ଠ ନାଗରିକ ଆଜି ଉତର ଭାରତର ଋଷିକେଷ ଓ ହରିଦ୍ୱାର ଅଭିମୁଖେ ଯାତ୍ରା କରିଛନ୍ତି । ଆଜି ଅପରାହ୍ଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ, ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା ପତାକା ଦେଖାଇ ତୀର୍ଥଯାତ୍ରାର ଶୁଭାରମ୍ଭ କରିଥିଲେ । ଆଜି ୫ଟି ବସ୍ରେ କେନ୍ଦୁଝରରୁ ବାହାରିଥିବା ତୀର୍ଥଯାତ୍ରୀମାନେ ବାଲେଶ୍ୱରରେ ରାତ୍ରିଯାପନ କରିବେ । ଆସନ୍ତାକାଲି ମଧ୍ୟାହ୍ନ ୧୨ଟା ୪୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀର୍ଥଯାତ୍ରାର ଶୁଭାରମ୍ଭ କରିବେ । ଏକ ସ୍ୱତନ୍ତ୍ର ଟ୍ରେନ୍ରେ ତୀର୍ଥଯାତ୍ରୀମାନେ ଋଷିକେଷ, ହରିଦ୍ୱାର ଅଭିମୁଖେ ଯାତ୍ରା କରିବେ । ତୀର୍ଥଯାତ୍ରାକୁ ସୁବ୍ୟବସ୍ଥିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ର ତତ୍ୱାବଧାନରେ କେନ୍ଦୁଝର ଜିଲ୍ଲାର ବାରିଷ୍ଠ ନାଗରିକମାନେ ତୀର୍ଥଯାତ୍ରାରେ ଯାଇଛନ୍ତି ।
