କଳିଯୁଗର ଶ୍ରବଣ କୁମାର ! ଅସୁସ୍ଥ ମା’ଙ୍କୁ କାନ୍ଧରେ ଧରି ବୁଲାଇଲେ ମନ୍ଦିର
ଖଇରା : ବର୍ତ୍ତମାନ ଅବକ୍ଷୟ ମୁଖି ସମାଜରେ ମା’ବାପାଙ୍କୁ ଉପଯୁକ୍ତ ସମ୍ମାନ ମିଳୁ ନାହିଁ । ଏଭଳି ଅନେକ ଘଟଣାରେ ପିଲାମାନେ କାର୍ଯ୍ୟବ୍ୟସ୍ତତା ଆଳରେ ବୃଦ୍ଧାବସ୍ଥାରେ ମା’ବାପାଙ୍କୁ ଜରାଶ୍ରମରେ ଛାଡ଼ିବା ଭଳି ଘଟଣା ଦେଖି ଦେଖି ଦେହସୁଆ ହୋଇ ଗଲାଣି । ହେଲେ ବାଲେଶ୍ୱର ଜିଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତର ବାରିଙ୍ଗିଆ ଗ୍ରାମର ନିରଞ୍ଜନ ଅନ୍ୟ ପୁଅମାନଙ୍କ ପାଇଁ ଆଦର୍ଶ ବୋଲି କୁହାଯାଇପାରେ ।
ଉକ୍ତ ଗ୍ରାମର ନିରଞ୍ଜନ ନିଜର ଅସୁସ୍ଥ ବୃଦ୍ଧା ମା’ କାଳୀ(୯୦)ଙ୍କୁ ଶନିବାର କାନ୍ଧରେ ବସାଇ ଖଇରା ବ୍ଲକର ବିଭିନ୍ନ ଶୈବପୀଠ ବୁଲାଇଛନ୍ତି । ୬ କିମି ଦୂର ବକ୍ରେଶ୍ୱର ସମେତ ଲଙ୍କେଶ୍ୱର ଭଳି ପ୍ରସିଦ୍ଧ ମନ୍ଦିର ବୁଲାଇ ପୁଅଜନ୍ମକୁ ସାର୍ଥକ କରିଛନ୍ତି । କେବଳ ଏହି ବର୍ଷ ନୁହେଁ ୬ବର୍ଷ ହେଲା ସେ ଦୁର୍ଗାପୂଜା, କାଳିପୂଜା ଓ ଅନ୍ୟାନ୍ୟ ପର୍ବପର୍ବାଣିରେ ମା’ଙ୍କୁ କାନ୍ଧରେ ନେଇ ଠାକୁର ଦେଖାଉଥିବାର ନିରଞ୍ଜନ ପ୍ରକାଶ କରିଛନ୍ତି । ୧୨ବର୍ଷ ଧରି ମା’ ଅସୁସ୍ଥ ଥିବାବେଳେ ସେ ପୁଅ ହିସାବରେ ମା’ଙ୍କ ସେବା ଶୁଶ୍ରୁଷା କରୁଛନ୍ତି । ସେ କଳିଯୁଗର ଶ୍ରବଣ କୁମାର ବୋଲି ଏ ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।
