ଅର୍ଜୁନବିନ୍ଧା-ମଧୁପୁର ରାସ୍ତାରେ ପୋଲ ନିର୍ମାଣ ପାଇଁ ଦାବି ନିର୍ମାଣ କାର୍ଯ୍ୟ ବନ୍ଦ କଲେ ଅଞ୍ଚଳବାସୀ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଅର୍ଜୁନବିନ୍ଧା-ମଧୁପୁର ପୂର୍ତ୍ତବିଭାଗ ରାସ୍ତା ସଂପ୍ରସାରଣ କାର୍ଯ୍ୟରେ ଜଳ ନିଷ୍କାସର ସୁବ୍ୟବସ୍ଥା ନଥିବାରୁ ରାସ୍ତାରେ ପୋଲ ନିର୍ମାଣ ଏବଂ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ଶୁକବ୍ରାର ସ୍ଥାନୀୟ ଅଞ୍ଚଳବାସୀ ନିର୍ମାଣ କାର୍ଯ୍ୟ ବନ୍ଦ କରିଥିଲେ । ଏ ସମ୍ପର୍କରେ ଚାଷୀ କ୍ରିୟାନୁଷ୍ଠାନ କମିଟିର ସଭାପତି ସୁରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପୂର୍ତ୍ତ ବିଭାଗ ଅଧୀନରେ ଥିବା ଅର୍ଜୁନବିନ୍ଧା-ମଧୁପୁର ରାସ୍ତା ସଂପ୍ରସାରଣ କାର୍ଯ୍ୟ ୭କୋଟି ୧୩ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଛି । ମାତ୍ର ଏହି ସଂପ୍ରସାରଣ କାର୍ଯ୍ୟରେ ବର୍ଷା ଓ ବନ୍ୟା ଜଳ ନିଷ୍କାସନ ପାଇଁ ସୁବିଧା ପାଇଁ ଯୋଜନା କରାଯାଇ ନାହିଁ । ରାସ୍ତାଟି ବନ୍ୟା ପ୍ଳାବିତ ଅଂଚଳରେ ରହିଥିବାରୁ ବର୍ଷା ଦିନରେ ୧ଶହ ମିଟର ପରେ ୬ମାସ ଧରି ପାଣି ଜମି ରହୁଛି । ଏହାର ପ୍ରତିକାର ପାଇଁ ରାସ୍ତା ଆରମ୍ଭରେ ଏକ ପୋଲ ନିର୍ମାଣ ସହ ଉକ୍ତ ରାସ୍ତାରେ ୪ଟି ୮ମିଟର ଲମ୍ବର ପୋଲ ନିର୍ମାଣର ଆବଶ୍ୟକତା ରହିଛି । ଏହି ପୋଲ ନିର୍ମାଣ କରାନଗଲେ ରାସ୍ତାର ପଶ୍ଚିମ ପାଶ୍ୱର୍ରେ ଥିବା ହଜାର ହଜାର ଏକର ଜମି ବନ୍ୟା ସମୟରେ ଜଳମଗ୍ନ ହୋଇ ରହିବ । ଯାହାଫଳରେ ଚାଷ ସଂପୂର୍ଣ୍ଣ ନଷ୍ଟ ହେବାର ଆଶଂକା ରହିଛି । ବନ୍ୟା ହେବା ତ ଦୂରର କଥା ଲଗାଣ ବର୍ଷାରେ ମଧ୍ୟ ଜମିରେ ପାଣି ଜମି ରହି ଚାଷ ନଷ୍ଟ ହେବା ନିଶ୍ଚିତ ବୋଲି କୁହାଯାଇଛି । ଏଥି ସହ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳର ବହୁ ଲୋକଙ୍କ ଜମି ଉପରେ ଏହି ରାସ୍ତା ନିର୍ମାଣ ହୋଇଥିଲା । ସେତେବେଳେ ଗ୍ରାମ ଉନ୍ନୟନ ବିଭାଗ ଅଧୀନରେ ଏହି ରାସ୍ତା ଥିବାରୁ ରାସ୍ତା ପାଇଁ ଜମି ହରାଇଥିବା ଲୋକମାନଙ୍କୁ କ୍ଷତିପୂରଣ ମିଳିନଥିଲା । ୨୦୧୫ ମସିହାରୁ ଏହି ରାସ୍ତା ପୂର୍ତ୍ତ ବିଭାଗ ଅଧୀନକୁ ଆସିଥିଲେ ମଧ୍ୟ କ୍ଷତିପୂରଣ ଏଯାଏ ମିଳି ପାରୁନାହିଁ । ତେଣୁ ତୁରନ୍ତ ଜମିହରା ଲୋକମାନଙ୍କୁ କ୍ଷତି ପୂରଣ ପ୍ରଦାନ କରିବାକୁ ଦୌଲତପୁର, ମଙ୍ଗଳପୁର ଓ ସିନ୍ଦୋଳ ପଞ୍ଚାୟତ ଅଧୀନ ଅର୍ଜୁନବିନ୍ଧା, ଚନ୍ଦ୍ରକାଟବିନ୍ଧା, ସନ୍ଥପୁରା, ସାଟିଉଟି ଆଦି ଗ୍ରାମର ଗ୍ରାମବାସୀମାନେ ଜିଲ୍ଲାପାଳ, ପୂର୍ତ୍ତବିଭାଗ ସଚିବ, ମୁଖ୍ୟ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ପୀରହାଟ ଥାନା ଅଧିକାରୀଙ୍କୁ ଲିଖିତ ଭାବେ ବାରମ୍ବାର ଜଣାଇଥିଲେ । ମାତ୍ର ଏହାର କୌଣସିି ପଦକ୍ଷେପ ଗ୍ରହଣ କରାନଯିବାରୁ କମିଟି ପକ୍ଷରୁ ସଦାନନ୍ଦ ତ୍ରିପାଠୀ, ଶ୍ରୀକାନ୍ତ ପଲାର, ରାମଚନ୍ଦ୍ର ବାରିକ, ବନମାଳି ଦାସ, ସନାତନ ଦାସ, ଲକ୍ଷ୍ମୀଧରଦାସ, ଉମାକାନ୍ତ ପରିଡ଼ା, କୁଳମଣି ବାରିକ, କିଶୋର କୁମାର ଦାସ, ମିନକେତନ ବାରିକ, ମୂରଲୀଧର ଦାସ, ଭାଗିରଥି ବେହେରା, ଶ୍ରୀକାନ୍ତ ପରିଡ଼ା, ଗଣେଶ ଦାସ, ଦେବେନ୍ଦ୍ର ବାରିକ, ମାନସ ନାୟକ, ବୀରେନ୍ଦ୍ର ଦାସ ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ କରିଥିଲେ ।
