‘ମୋଦୀ- ଅଦାନୀ ଭାଇ ଭାଇ’ ନାରାର କଡ଼ା ଜବାବ ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ଭାଷଣ ଦେଉଥିବାବେଳେ ବିରୋଧୀ ଜୋରଦାର ହଙ୍ଗାମା କରିଛନ୍ତି । ଅଦାନୀ ମାମଲାରେ ଜେପିସି ଗଠନ କରିବାକୁ ବିରୋଧୀ ଦାବୀ କରି ନାରାବାଜି ମଧ୍ୟ କରିଥିବା ଜଣାପଡ଼ିଛି । ଏହି ସମୟରେ ବିରୋଧୀଙ୍କ ‘ମୋଦୀ- ଅଦାନୀ ଭାଇ ଭାଇ’ ନାରାରେ ସଦନ ପ୍ରକମ୍ପିତ ହୋଇ ଉଠିଥିଲା ।
ସଦନରେ ବିରୋଧୀଙ୍କ ନାରାବାଜିକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମୁଁ ଏହି ସାଂସଦମାନଙ୍କୁ କହିବାକୁ ଚାହୁଁଛି କି ଆପଣମାନେ ଯେତେ କାଦୁଅ ଫିଙ୍ଗିବେ ପଦ୍ମ ସେତେ ଅଧିକ ଫୁଟିବ । ଏହି ସଦନ ରାଜ୍ୟର ସଦନ ହୋଇଥିବାବେଳେ ଗତ ଦଶକରେ ଅନେକ ବୁଦ୍ଧିଜୀବୀ ଏହି ସଦନରୁ ଦେଶକୁ ଦିଶା ଦେଖାଇଛନ୍ତି । ସଦନରେ ଏମିତି ଅନେକ ଲୋକ ବସିଛନ୍ତି ଯେଉଁମାନେ ଜୀବନରେ ଅନେକ ଉପଲବ୍ଧି ହାସଲ କରିଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି କି ଯେ, ସଦନର କିଛି ଲୋକଙ୍କ ବ୍ୟବହାର ଓ ବାଣୀ ସଦନ ସହ ଦେଶବାସୀଙ୍କୁ ନିରାଶ କରୁଛି ।
