ଯେତେ କାଦୁଅ ଫିଙ୍ଗିବ, ପଦ୍ମ ସେତେ ଫୁଟିବ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ବିରୋଧୀଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆକ୍ରମଣ ଜାରି ରହିଛି । ଗୁରୁବାରଦିନ ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଅନ୍ୟବାଦ ପ୍ରସ୍ତାବ ବେଳେ ମୋଦୀ କହିଛନ୍ତି ଯେ ଗୃହରେ କିଛି ସଦସ୍ୟଙ୍କ ଆଚରଣ ଓ ସ୍ୱର ସମଗ୍ର ଦେଶ ପାଇଁ ନିରାଶାଜନକ । ମୁଁ ଏଭଳି ଲୋକଙ୍କୁ କହିବି ଯେ ସେମାନେ ଯେତେ ଅଧିକ କାଦୁଅ ଫିଙ୍ଗିବେ, ପଦ୍ମ ସେତେ ଅଧିକ ଫୁଟିବ । କମଲ ଫୁଟାଇବାରେ ସହାୟତା କରିଥିବାରୁ ମୁଁ ବିରୋଧୀଦଳଙ୍କୁ ଧନ୍ୟବାଦ ଦେବି ବୋଲି ସେ କହିଛନ୍ତି ।
ଆଜି ପୁଣି ସଂସଦରେ ଗାନ୍ଧି ପରିବାରକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ବିତର୍କ ଘେରକୁ ଟାଣି ଗାନ୍ଧି ପରିବାରକୁ ଶାଣିତ ସମାଲୋଚନା କରିଛନ୍ତି । ମୋଦି କହିଛନ୍ତି ଯେ, ଯଦି ନେହରୁ ଏତେ ବଡ଼ ଜଣେ ମହାନ ବ୍ୟକ୍ତିତ୍ୱ ?ଥିଲେ ତେବେ ତାଙ୍କ ପରିବାର ଲୋକେ କାହିଁକି ‘ନେହରୁ’ ସରନେମ ରଖିଲେ ନାହିଁ । ଆଜି ରାଜ୍ୟ ସଭାରେ ନିଜ ଅଭିଭାଷଣ ରଖୁଥବା ବେଳେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ସେ । ମୋଦି କହିଛନ୍ତି ଯେ, ବର୍ତ୍ତମାନ ସରକାରଙ୍କ କିଛି ଯୋଜନାରେ ନାମକୁ ନେଇ ଆପତ୍ତି ଉଠାଯାଉଛି । କୁହାଯାଉଛି ନାମରେ କିଛି ସଂସ୍କୃତି ଛାପ ରହୁଛି । ଏଥିରେକି କିଛି ଲୋକଙ୍କୁ ସମସ୍ୟା ହେଉଛି । ମୋଦି କହିଛନ୍ତି ଯେ, ମୁଁ କୌଣସି ଏକ ଖବରକାଗଜରେ ପଢ଼ିଥିଲି ସରକାରଙ୍କ ୬୦୦ ଯୋଜନା କେବଳ ଗାନ୍ଧି ପାରିବାର ନାମରେ ଅଛି । ଯଦି କୌଣସି କାର୍ଯ୍ୟକ୍ରମରେ ନେହରୁଙ୍କ ନାମରେ ଉଲ୍ଲେଖ ନାହିଁ କିଛି ଲୋକଙ୍କ କେଶ ଠିଆ ହୋଇଯାଏ । ତାଙ୍କର ରକ୍ତ ଗରମ ହୋଇଯାଏ । କାହିଁକି ନେହରୁଙ୍କ ନାମ ଉଲ୍ଲେଖ ହେଲା ନାହିଁ । ମୋଦି କହିଛନ୍ତି ଯେ, ମୋତେ ଖୁବ ଆଶ୍ଚର୍ଯ୍ୟ କରିଛି , ହୁଏତ ଆମ ଦ୍ୱାରା ନେହରୁଙ୍କ ନାମ ଖସିଯାଉଛି , ଯଦି ଖସିଯାଉଛି ତେବେ ଆମେ ଠିକ୍ କରିଦେବୁ । କାହିଁକି ନା ସେ ଦେଶରେ ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ । କିନ୍ତୁ ମୁଁ ବୁଝିପାରୁ ନାହିଁ ତାଙ୍କ ପରିବାର, ତାଙ୍କ ପିଢ଼ିର କୌଣସି ବ୍ୟକ୍ତି ନେହରୁ ସରନେମ ରଖିବାକୁ କାହିଁକି ଭୟ କରୁଛନ୍ତି । କାହିଁକି ସେମାନେ ନିଜକୁ ଲଜ୍ଜିତ ଅନୁଭବ କରୁଛନ୍ତି । ନେହରୁ ସରନେମ ରଖିବାକୁ ଏତେ ଦ୍ୱିଧା କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଏତେ ବଡ଼ ମହାନ ବ୍ୟକ୍ତିତ୍ୱଙ୍କୁ ଯଦି ଆପଣଙ୍କୁ ମଞ୍ଜୁର ନାହିଁ, ପରିବାରକୁ ମଞ୍ଜୁର ନାହିଁ ଏବେ ଆପଣ ଆମକୁ ହିସାବ ମାଗୁଛନ୍ତି କହି ମୋଦି କଂଗ୍ରେସକୁ କଟାକ୍ଷ କରିଥିଲେ । ଆଜି ବି ପୁଣି ଆଦାନି ପ୍ରସଙ୍ଗକୁ ନେଇ ଗୃହରେ ହୋହଲ୍ଲା ହୋଇଥିଲା ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗୃହରେ ଯାହା ଘଟୁଛି ତାହାକୁ ଦେଶ ଗମ୍ଭୀରତାର ସହ ଶୁଣେ, କିନ୍ତୁ ଏହା ଦୁର୍ଭାଗ୍ୟଜନକ ଯେ କିଛି ଲୋକଙ୍କ ସ୍ୱର କେବଳ ଗୃହକୁ ନୁହେଁ ବରଂ ଦେଶକୁ ନିରାଶ କରୁଛି । ମୁଁ ଏଭଳି ଲୋକଙ୍କୁ କହିବି ଯେ ତାଙ୍କ ପାଖରେ କାଦୁଅ ଅଛି, ମୋ ପାଖରେ ଗୁଲାଲ (ହୋଲି ରଂଗ) ଅଛି । ତୁମେ ଯେତେ ଅଧିକ କାଦୁଅ ଫିଙ୍ଗିବ, ପଦ୍ମ ସେତେ ଅଧିକ ଫୁଟିବ । ଏହା ସହିତ ସେ ଗାନ୍ଧି ପରିବାରକୁ ବି ଟାର୍ଗେଟ କରିଥିଲେ । ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ଭାଷଣ ଆରମ୍ଭ କରିବା ମାତ୍ରେ ବିରୋଧୀ ସଦସ୍ୟମାନେ ଗୃହ ମଝିରେ ପହଞ୍ଚି ଜୋରରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ତେବେ ଏହି ନାରାବାଜି ଓ ଶବ୍ଦ ଭିତରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ନିଜର ଭାଷଣ ଜାରି ରଖିଥିଲେ ।
