ପୁଣିଥରେ ପ୍ରେମରେ ପଡ଼ିଲେ ୬୭ ବର୍ଷୀୟ ବିଲ ଗେଟ୍ସ
ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ଫାଉଣ୍ଡର ତଥା ବିଶ୍ୱର ଷଷ୍ଠ ଧନୀ ବ୍ୟକ୍ତି ବିଲ ଗେଟ୍ସଙ୍କୁ ପୁଣିଥରେ ପ୍ରେମ ହୋଇଛି । ରିପୋର୍ଟସ ମୁତାବକ, ୬୭ ବର୍ଷୀୟ ବିଲ ଗେଟ୍ସ ବର୍ତ୍ତମାନ ସମୟରେ ପାଉଲା ହର୍ଡଙ୍କୁ ଡେଟ କରୁଛନ୍ତି । ୬୦ ବର୍ଷୀୟ ପାଉଲା ଓରେକଲ କମ୍ପାନୀର ଦିବଙ୍ଗତ ସିଇଓ ମାର୍କ ହର୍ଡଙ୍କ ପତ୍ନୀ । ବିଲ ଗେଟ୍ସ ଓ ପାଉଲା ହର୍ଡ ପାଖାପାଖି ବର୍ଷେ ହେବ ପରସ୍ପରକୁ ଡେଟ କରୁଛନ୍ତି । କିନ୍ତୁ ପାଉଲା ଏପର୍ଯ୍ୟନ୍ତ ବିଲ ଗେଟ୍ସଙ୍କ ପିଲାଙ୍କୁ ଭେଟି ନଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ବିଲ ଗେଟ୍ସ ଓ ପାଉଲା ହର୍ଡଙ୍କୁ ଗତ ମାସ ଅଷ୍ଟ୍ରେଲିଆନ ଓପନ ସମୟରେ ସାଥୀରେ ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ମାର୍ଚ୍ଚ ୨୦୨୨ରେ ମଧ୍ୟ ଦୁହିଁଙ୍କ ପରସ୍ପର ସହ ଏକ ଫଟୋ ସାମ୍ନାକୁ ଆସିଥିଲା । ବିଲ ଗେଟ୍ସ ୨୦୨୧ରେ ନିଜର ୨୭ ବର୍ଷର ବିବାହକୁ ଭାଙ୍ଗି ପତ୍ନୀ ମେଲିଣ୍ଡା ଗେଟ୍ସଙ୍କଠାରୁ ଛାଡ଼ପତ୍ର ନେଇଥିଲେ । ଛାଡ଼ପତ୍ର ସମ୍ବନ୍ଧରେ ୨୦୨୧ ଅଗଷ୍ଟରେ ଦୁହେଁ ଘୋଷଣା କରିଥିଲେ । ଉଭୟଙ୍କର ୩ଜଣ ସନ୍ତାନ ଅଛନ୍ତି ।
