ଖାଦ୍ୟ ସୁରକ୍ଷା ବିଭାଗର ଚଢଉ ୧୨ଟି ରେଷ୍ଟୁରାଣ୍ଟର ଖାଦ୍ୟ ମାନ ଯାଂଚ ୭ ହଜାର ଜୋରିମାନା
୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍
କଟକ : ସହରରେ ଅସ୍ୱାସ୍ଥ୍ୟକର ଓ ନିକୃଷ୍ଟମାନର ଖାଦ୍ୟ ବିକ୍ରି ଉପରେ ରୋକ୍ ଲଗାଇବା ପାଇଁ କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ଚାଲିଥିବା ଚଢଉ ଅଭିଯାନରେ ଆଜି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କଲେଜଛକ, ମାଲଗୋଦାମ ରୋଡ ଓ ବମ୍ବେ ହୋଟେଲ ନିକଟରେ ଥିବା ୧୨ଟି ରେଷ୍ଟୁରାଣ୍ଟ ଓ ହୋଟେଲ ଉପରେ ଚଢଉ କରାଯାଇ ଖାଦ୍ୟର ମାନ ଯାଂଚ କରାଯାଇଥିଲା । ଅପମିଶ୍ରିତ ଓ ନିମ୍ନମାନର ଖାଦ୍ୟ ବିକ୍ରି କରୁଥିବା ୨ ଦୋକାନୀଙ୍କଠାରୁ ୭ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଏତଦ୍ ବ୍ୟତୀତ ଅପରିଷ୍କାର ଅପରିଚ୍ଛନ୍ନ ପରିବେଶରେ ଖାଦ୍ୟ ବିକ୍ରି କରୁଥିବା ୪ ଦୋକାନୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ଆଗାମୀ ଦିନରେ ଉକ୍ତ ବ୍ୟବସାୟୀମାନେ ଯେଭଳି ଉନ୍ନତମାନର ଖାଦ୍ୟ ବିକ୍ରି କରିବେ ସେ ସଂପର୍କରେ ସେମାନଙ୍କୁ ଚେତେଇ ଦିଆଯାଇଥିଲା । ବିଶେଷକରି ସମସ୍ତ ଦୋକାନୀମାନଙ୍କର ଲାଇସେନ୍ସ ଓ କାଗଜପତ୍ର ଯାଂଚ କରାଯାଇଥିଲା । ଏହି ଚଢଉରେ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସ ମହାପାତ୍ରଙ୍କ ସମେତ ବହୁ ବିଭାଗୀୟ କର୍ମଚାରୀମାନେ ସାମିଲ ହୋଇଥିଲେ ।
