ରୋଡ୍ ରୋଲର ଭଡାରେ ନେଇ ବିକ୍ରି : ୩ ଗିରଫ
କଟକ : ରୋଡ ରୋଲର ଭଡାରେ ନେଇ କାଟି କବାଡିଖାନାରେ ବିକୁୁଥିବା ଅଭିଯୋଗରେ ଜଗତପୁର ଥାନା ପୋଲିସ କବାଡି ଗୋଦାମର ପରିଚାଳକ ସମେତ ୩ ଜଣଙ୍କୁ ଗିରଫ କରିବା ସହ ଏକ ରୋଡ ରୋଲର ଜବତ କରିଛି । ଗିରଫ ଅଭିଯୁକ୍ତ ଜଗତପୁର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଥିବା ରମେଶ ନନ୍ଦୀଙ୍କ କବାଡି ଗୋଦାମର ପରିଚାଳକ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ହରିଅଙ୍କ ବମ୍ବିଲୋର ରମାକାନ୍ତ ମିଶ୍ର(୩୬), ସ୍ଥାନୀୟ ଗୋପୀନାଥପୁର ମଠସାହିର ଦେବାନନ୍ଦ ମହାନ୍ତ(୪୪) ଓ କଟକ ଦରଘାବଜାରର ସନ୍ତୋଷ କୁମାର ଗୁପ୍ତା(୩୮) । ପୋଲିସ ପ୍ରଦତ୍ତ ସୂଚନା ମୁତାବକ, ଗଡଖୋର୍ଦ୍ଧାର ଓମ୍ ମା ତାରିଣୀ ମେସିନାରୀ ସଂସ୍ଥା ବିଭିନ୍ନ ମେସିନ୍ ଭଡାରେ ଦେଇଥାନ୍ତି । ଗତ ୩ ତାରିଖରେ ମେସର୍ସ କନଷ୍ଟ୍ରକ୍ସନ ସିଭିଲ ରେଲୱେ କଣ୍ଟ୍ରାକ୍ଟର ଡବ୍ଲ୍ୟୁଆରଏସ ସଂସ୍ଥାର ପରିଚାଳକ ମୋହନ ମିଶ୍ର ମାସିକ ୨୫ ହଜାର ଭଡାରେ କଟକ କଲେଜଛକରେ କାର୍ଯ୍ୟ ପାଇଁ ଏକ ରୋଡ ରୋଲର ଆଣିଥିଲେ । ପରେ ଗତ ୬ ତାରିଖରେ ପୁନର୍ବାର ୪୫ ହଜାର ଟଙ୍କା ଅଗ୍ରୀମ ଦେଇ ଆଉ ଏକ ରୋଲର ଭଡାରେ ଆଣିଥିଲେ । ମାତ୍ର ରୋଲରଟି କଲେଜ ଛକରେ ଅନଲୋଡ ନ ହୋଇ ଜଗତପୁରରେ ଅନଲୋଡ ହେବାରୁ ଓମ ମା ତାରିଣୀ ମେସିନାରୀର ମାଲିକ ତପନ କୁମାର ସାମନ୍ତରାୟଙ୍କର ସନ୍ଦେହ ହୋଇଥିଲା । ତାଙ୍କ ରୋଲର ୨ଟି କବାଡିଖାନାରେ ପଡି ରହିଥିବା ଜାଣିବା ପରେ ସେ ଗତକାଲି ଥାନାରେ ଅଭିଯୋଗ କରିଥିଲେ । ପୋଲିସ କବାଡିଖାନାର ଚଢଉ କରି ଅଧା କଟା ରୋଲର ଓ ଏହାର ଯନ୍ତ୍ରାଂଶ ଏବଂ ଏକ ଅକ୍ଷତ ରୋଲରକୁ ଜବତ କରିଥିଲା । ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।
