ମୟୂରଭଂଜ ବରିଷ୍ଠ ନାଗରିକ ସମିତିର ବାର୍ଷିକ ଉତ୍ସବ
ବାରିପଦା : ମଧୁବନ, ୱାର୍ଡ ନଂ ୯ ସ୍ଥିତ ମୟୂରଭଂଜ ବରିଷ୍ଠ ନାଗରିକ ସମିତି, ମୟୂରଭଂଜର ବାର୍ଷିକ ଉତ୍ସବ ଓ ଓଡ଼ିଶା ଆଦିବାସୀ ଉନ୍ନୟନ ପରିଷଦର ଉପଦେଷ୍ଟା ଶ୍ରୀମତୀ ସରୋଜିନୀ ହେମ୍ବ୍ରମ, ମୟୂରଭଂଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ଏବଂ ବାରିପଦା ପୌରପରିଷଦର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସମିତିର ସ୍ଥାୟୀ ସଭାପତି ଡ. ଯୋଗେନ୍ଦ୍ର ନାଥ ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଉକ୍ତ ଉତ୍ସବରେ ପଣ୍ଡିତ ଭାଗବତ ପଣ୍ଡା ଆଶୀର୍ବାଦାତ୍ମକ ଶ୍ଳୋକ ପାଠ କରିଥିଲେ । କଣ୍ଠଶିଳ୍ପୀ ଦୁଷ୍ମନ୍ତ ବେହେରା ଆବାହନୀ ସଂଗୀତ ପରିବେଷଣ କରିଥିଲେ । ବରିଷ୍ଠ ନାଗରିକ ସମିତିର ଉପ-ସଭାପତି ରଘୁନାଥ ପଣ୍ଡା ବୈଠକର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ । ସମ୍ବର୍ଦ୍ଧିତ ଅତିଥିମାନେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିବା ପରେ ୪୫ ଜଣ ବରିଷ୍ଠ ନାଗରିକଙ୍କୁ ବରିଷ୍ଠ ନାଗରିକ ପରିଚୟ ପତ୍ର ବିତରଣ କରାଯାଇଥିଲା । ବରିଷ୍ଠ ନାଗରିକ କମିଟିର ସମ୍ପାଦକ ବସନ୍ତ କୁମାର ଦାସ ମଂଚାସୀନ ରହି ତାଙ୍କର ବାର୍ଷିକ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ସଭାପତି ଡ. ପଣ୍ଡା ନିଜ ଅଭିଭାଷଣରେ ବରିଷ୍ଠ ନାଗରିକମାନଙ୍କର ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ଅତିଥିମାନଙ୍କୁ ଅବଗତ କରିବା ସଙ୍ଗେ ସଙ୍ଗେ ଏ ସବୁର ସମାଧାନ କ୍ଷେତ୍ରରେ ସେମାନଙ୍କର ସହଯୋଗ କାମନା କରିଥିଲେ । ବାରିପଦା ସହର ସମେତ ମୟୂରଭଂଜର ଶତାତ୍ମକ ବରିଷ୍ଠ ନାଗରିକ ଉକ୍ତ ଉତ୍ସବରେ ଉପସ୍ଥିତ ଥିଲେ । ଆବାହକ ବିକ୍ରମ କେଶରୀ ଜେନାଙ୍କ ସହାୟତାରେ ସମସ୍ତ କାର୍ଯ୍ୟକ୍ରମ ଶୃଙ୍ଖଳାର ସହିତ ସମାହିତ ହୋଇଥିବା ସମୟରେ ବୀରିଷ୍ଠ ନାଗରିକ ଡ. କୁଂଜବନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।
