ମାଲ ବୁହା ଗାଡିରେ ଯାତ୍ରୀ ପରିବହନ : ୧ଲକ୍ଷ ୭ହଜାର ଟଙ୍କାର ଚାଲାଣ କାଟିଲା ପରିବହନ ବିଭାଗ
ଜଳେଶ୍ୱର : ଉତ୍ତର ବାଲେଶ୍ୱରର ବିଭିନ୍ନ ସ୍ଥାନରେ ମାଲବୁହା ଗାଡି ଗୁଡିକର ଯାତ୍ରୀ ପରିବହନ ହୋଇ ଆସୁଥିବା ବେଳେ ସୋମବାର ପରିବହନ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଫଳରେ ୪ଟି ଗାଡିରୁ ୭୯ହଜାର୩୮୦ ଟଙ୍କା ଚାଲାଣ କଟାଯାଇଥିବା ଜଣାଯାଇଛି । ପରିବହନ ବିଭାଗ ପକ୍ଷରୁ ଟ୍ରାଫିକ୍ ଇନିସ୍ପେକ୍ଟର ସମାରେନ୍ଦ୍ର ମହାପାତ୍ର ଓ ଆସିଷ୍ଟାଣ୍ଟ ଏମ୍ଭିଆଇ ଦେବାଶିଷ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ନୂଆବଜାର ରୋଳ ଫାଟକ ନିକଟରେ ଜଗିଥିବା ବେଳେ ଓଡି୦୧କେ-୫୫୬୩, ଓଡି୦୧ଜେ-୫୪୮୬, ଓଡି୧୧ୟୁ-୦୮୩୩, ଡବ୍ଲୁବି୩୩ସି-୬୫୪୧ପିକ୍ଅପ୍ ଓ ଟାଟା ଏସିରେ ଯାତ୍ରୀ ପରିବହନ ହେଉଥିବାରୁ ଚଢାଉ କରିଥିଲେ । ସେହିପରି ଶ୍ରୀରାମପୁର ପଂଚାୟତର ମାଳିପାଳ ଠାରେ ଓଡି୦୧ଏଜି-୫୯୦୨ ଏକ ଧାନବୋଝେଇ ଟ୍ରାକ୍ଟରକୁ ସେମାନେ ଜବତ୍ କରିଥିଲେ । ସେମାନଙ୍କ ଠାରୁ ମୋଟରେ ଏକଲକ୍ଷ୬ହଜାର୮୮୦ଟଙ୍କା ଯୋରିମାନା ଆଦାୟ କରିଥିଲେ । ଫଳରେ ବେପାରୁଆ ଗାଡି ମାଲିକ ଓ ଚାଳକଙ୍କ ମଧ୍ୟରେ କୋକୂଆଭୟ ସୃଷ୍ଟି ହୋଇଛି ।
