ଚାନ୍ଦୁଆରେ ଜାତୀୟ ବ୍ୟାଙ୍କର ଶାଖା ଖୋଲିବାପାଇଁ ମାସା ଆର୍ମିର ଦାବୀ
ବାରିପଦା : ମୟୂରଭଂଜ ଆଦିବାସୀ ଷ୍ଟୁଡେଂଟ ଆସୋସିଏସନ, ମାସା ଆର୍ମି ପକ୍ଷରୁ ଚାନ୍ଦୁଆ ଅଂଚଳରେ ଜାତୀୟ ବ୍ୟାଙ୍କର ଶାଖା ଖୋଲିବା ଦାବୀରେ ମାସା ଆର୍ମିର ରାଜ୍ୟ ସାଧାରଣ ସମ୍ପାଦକ ଅର୍ଜୁନ ମୁର୍ମୁଙ୍କ ନେତୃତରେ ମୟୂରଭଂଜ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ରୁନ୍ଦ୍ର ନାରାୟଣ ମହାନ୍ତି ଏବଂ ମୟୂରଭଂଜ ଏଲ.ଡି.ଏମ. ଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । କୁଳିଅଣା ବ୍ଲକ ଅନ୍ତର୍ଗତ ଚାନ୍ଦୁଆଠାରେ ଏକମାତ୍ର ପଂଜାବ ନ୍ୟାସନାଲ ବ୍ୟାଙ୍କ ଅଛି । କିନ୍ତୁ ଚାନ୍ଦୁଆ ଅଂଚଳର ଲୋକସଂଖ୍ୟା ଦୃଷ୍ଟିରୁ ଏହି ବ୍ୟାଙ୍କଟି ସେବା ଯୋଗେଇବାରେ ସମର୍ଥ ନୁହେଁ । ପ୍ରତିଦିନ ବ୍ୟାଙ୍କ ସମ୍ମୁଖରେ ପ୍ରବଳ ଭିଡ଼ ସହ ଲମ୍ବା ଲାଇନରେ ଦିନତମାମ ଛିଡା ହେବାକୁ ପଡ଼େ । ଟଙ୍କା ଉଠେଇ ନପାରି ନିରାଶ ହୋଇ ଫେରିବାକୁ ମଧ୍ୟ ପଡ଼ିଥାଏ । ଲିଙ୍କ୍ ସମସ୍ୟା ଏବଂ ଲୋକ ସଂଖ୍ୟା ଅଧିକ ଦୃଷ୍ଟିରୁ ଦୈନନ୍ଦିନ ଏଠାକାର ଅଂଚଳବାସୀଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଟଙ୍କା ଉଠାଣପାଇଁ ଦୁଇ ତିନିଦିନ ଧରି ବ୍ୟାଙ୍କ ଶାଖାକୁ ଦୌଡିବାକୁ ପଡ଼େ । ସରକାରଙ୍କ ନୂତନ ନିୟମାନୁସାରେ ବାର୍ଦ୍ଧକ୍ୟ ଭତା ଏବଂ ବିଧଭା ଭତା ମଧ୍ୟ ବ୍ୟାଙ୍କ ଏକାଉଂଟକୁ ଆସୁଛି । କିନ୍ତୁ ୫୦୦ ଟଙ୍କା ଉଠାଣ ପାଇଁ ବୟସ୍କ ଲୋକମାନଙ୍କୁ ୫ ଦିନ ବ୍ୟାଙ୍କ ଶାଖାକୁ ଦୌଡିବାକୁ ପଡୁଛି । ତେଣୁ ଚାନ୍ଦୁଆଠାରେ ଅତିରିକ୍ତ ଯେକୌଣସି ଜାତୀୟ ବ୍ୟାଙ୍କର ଶାଖା ଖୋଲିବା ପାଇଁ ମାସା ଆର୍ମି ପକ୍ଷରୁ ଦୃଢ ଦାବୀ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ ସମୟରେ ମାସା ଆର୍ମିର ରାଜ୍ୟ ସାଧାରଣ ସମ୍ପାଦକ ଅର୍ଜୁନ ମୁର୍ମୁଙ୍କ ସମେତ ଜିଲ୍ଲା ସମ୍ପାଦକ ଚୈତନ ସୋରେନ୍, ରାଜ୍ୟ କୋଷାଧ୍ଯକ୍ଷ ମୁକେଶ କିସ୍କୁ, ରବିନ୍ଦ୍ର ମାର୍ଣ୍ଡି, ଧ୍ୟାନଚାନ୍ଦ ସୋରେନ୍ ଏବଂ ତଫାନ ହେମ୍ରମ ପ୍ରମୁଖ ଉପସ୍ଥିତ ଥିଲେ ।
