୨୬୯ ଗ୍ରାମ ବ୍ରାଉନ୍ସୁଗର ଜବତ୍, ୧ଜଣ ଗିରଫ : ଜିଲା ଆରକ୍ଷୀ ଅଧିକ୍ଷକ
ଜଳେଶ୍ୱର : ଦୀର୍ଘଦିନ ବ୍ୟବଧାନ ପରେ ବ୍ରାଉନ୍ସୁଗର କାରବାରର ପେଣ୍ଠସ୍ଥଳ ପାଲଟିଥିବା ଜଳେଶ୍ୱର ଅଂଚଳରୁ ଜଣେ ବ୍ରାଉନ୍ସୁଗର ବ୍ୟବସାୟୀଙ୍କ ସହିତ ୨୬୯ ଗ୍ରାମ ଜବତ୍ ହୋଇଥିବାର ଆଜି ଜିଲ୍ଳା ଆରକ୍ଷୀ ଅଧକ୍ଷକ ଏକ ପ୍ରେସ୍ମିଟ୍ରେ ସୂଚନା ଦେଇଛନ୍ତି । ବାଂଲାଦେଶରୁ ପଶ୍ଚିମବଂଗ ଦେଇ ଓଡିଶାର ଜଳେଶ୍ୱର ଅଂଚଳକୁ ବହୁ ପରିମାଣରେ ବ୍ରାଉନ୍ସୁଗର ଆସି ରାଜ୍ୟର ବିଭିନ୍ନ ସ୍ଥାନକୁ ବିତରଣ ହେଉଥିବାର ଖବର ପୁଲିସ୍ ନିକଟରେ ରହିଛି । ନିଶା ମାଫିଆ ମାନେ ସେମାନଙ୍କ ଏଜେଣ୍ଟ ମାନଙ୍କ ମାଧ୍ୟମରେ ଜଳେଶ୍ୱରରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବ୍ରାଉନ୍ସୁଗର ଚାଲାଣ କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଏପରି କାରବାର ପ୍ରତିଦିନ ଖୁଲମଖୁଲା ଚାଲୁଥିବା ବେଳେ ଅବକାରୀ ବିଭାଗ ଓ ପୁଲିସ୍ ସେପରି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି । ବହୁ ଦିନର ବ୍ୟବଧାନ ପରେ ଆଜି ଜଳେଶ୍ୱର ପୌରାଂଚଳର ପଥରପୁରା (ମାଲଗୋଦାମ) ଅଂଚଳରୁ ଜଣେ ନିଶା ବ୍ୟବସାୟୀଙ୍କୁ ଗିରଫ କରିବା ସହିତ ତା ନିକଟରୁ ୨୬୯ ଗ୍ରାମ ଓଜନର ବ୍ରାଉନ୍ସୁଗର ଜବତ୍ କରାଯାଇଛି । ଚଢାଉ ସମୟରେ ତା ନିକଟରୁ ନଗଦ ୨୭ଶହ ଟଙ୍କା, ଗୋଟିଏ ନକିଆ ମୋବାଇଲ, ଏକ ବ୍ୟାଙ୍କ ପାସ୍ବୁକ୍, ୫ଟି ପାନ୍କାର୍ଡ ଜବତ୍ କରାଯାଇଛି । ଜବତ୍ ହୋଇଥିବା ବ୍ରାଉନ୍ ସୁଗରର ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ ବୋଲି ଜିଲ୍ଳା ଆରକ୍ଷୀ ଅଧକ୍ଷକ ସାଗରିକା ନାଥ ପ୍ରେସ୍ମିଟ୍ରେ ସାମ୍ବାଦିକ ମାନଙ୍କ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏସ୍ଡିପିଓ ଦିଲ୍ଲିପ କୁମାର ସାହୁ, ଆଇ.ଆଇସି ଶିବପ୍ରସାଦ ଭଦ୍ର ଓ ରୋଜାଲାନ୍ ବେହେରା ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ନୂତନଭାବେ ଯୋଗଦେଇଦେଇଥିବା ଜିଲ୍ଳା ଆରକ୍ଷୀ ଅଧକ୍ଷକ ସାଗରିକା ନାଥଙ୍କ ନିର୍ଦ୍ଦେଶକ୍ରମେ ଜଳେଶ୍ୱର ଏସ୍ଡିପିଓ ଦିଲ୍ଲିପ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆଜି ସକାଳେ ଜଳେଶ୍ୱର ପୁଲିସ୍ ପକ୍ଷରୁ ଉକ୍ତ ଅଂଚଳରେ ଚଢାଉ କରାଯାଇଥିଲା । ଏହି ନିଶାକାରବାରକୁ ରୋକିବାଲାଗି ଜଳେଶ୍ୱର ଏସ୍ଡିପିଓ, ବସ୍ତା ଏସ୍ଡିପିଓ ଓ ବାଲେଶ୍ୱର ସଦର ଏସ୍ଡିପିଓଙ୍କୁ ନେଇ ଏକ ଏଣ୍ଟି ନାର୍କଟିକ୍ ସ୍କୁର୍ଡ ଗଠନ କରାଯାଇଥିବା ଏସ୍ପି. ନାଥ ସାମ୍ବାଦିକ ମାନଙ୍କୁ କହିଛନ୍ତି ।
