ନୀରବି ଗଲେ ‘ପଦ୍ମପୋଖରୀ’ର କବି ଦିବ୍ୟସିଂହ ଦାସଅଧିକାରୀ
ତିହିଡ଼ି : ନୀରବିଗଲେ ‘ପଦ୍ମପୋଖରୀ’ର କବି ଦିବ୍ୟସିଂହ ଦାସ ଅଧିକାରୀ । ସ୍ୱର୍ଗତ ଦାସଅଧିକାରୀ ଓଡ଼ିଶାର ଜଣେ ଲବ୍ଧ ପ୍ରତିଷ୍ଠିତ କବି ଭାବେ ପରିଚିତ ଥିଲେ । ତାଙ୍କର ସୃଷ୍ଟି ସମ୍ଭାର ମଧ୍ୟରେ ‘ନଈ ବି କହୁଛି କଥା’, ‘ପଦ୍ମପୋଖରୀ’, ‘ଘନିଷ୍ଠ ସମୟ’, ‘ଏବେ ଏଇମିତି’, ‘ସବୁଠି ଶୋଷ’, ‘ଅଧିକାରୀ ପୃଥିବୀ’, ‘ଗୀତରେ ଗୀତରେ ଅଧିକାରୀ’ ଇତ୍ୟିାଦି କବିତା ସଂକଳନ ସହିତ ଆଲୋଚନା ଓ ପ୍ରବନ୍ଧ ପୁସ୍ତକ ପାଠକମାନଙ୍କୁ ବେଶ୍ ଆକୃଷ୍ଟ କରିଥିଲା । ସେ ଦୀର୍ଘଦିନ ଧରି ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରି ମଧ୍ୟ ସାହିତ୍ୟକୁ ବ୍ରତ ଭାବରେ ଗ୍ରହଣ କରିଥିଲେ । ଓଡ଼ିଶାର ବହୁ ପ୍ରତିଷ୍ଠିତ ପତ୍ରପତ୍ରିକାରେ ତାଙ୍କର ଲେଖା ଗୁଡ଼ିକ ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିଛି । ଦୀର୍ଘ ୪ଦଶନ୍ଧି ଧରି ସାହିତ୍ୟ ସାଧନାରେ ରହି ଓଡ଼ିଶାର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ଓ ପ୍ରଶଂସିତ ହୋଇଥିବା ବେଳେ ବହୁ ଅନୁଷ୍ଠାନ ସହିତ ଜଡ଼ିତ ରହି ଓଡ଼ିଆ ଭାଷା ସାହିତ୍ୟକୁ ଆଗେଇ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ଭଦ୍ରକ ଜିଲା ତିହିଡ଼ି ବ୍ଲକ ବାରସର ପଞ୍ଚାୟତ ଅଧୀନ ନୂଆବନ୍ଧ ଗ୍ରାମରେ ୧୯୫୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ହେବ ଶ୍ୱାସ ରୋଗରେ ପିଡ଼ିତ ଥାଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସୋମବାର ସନ୍ଧ୍ୟା ୬ଟା ସମୟରେ ସେଠାରେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ କବି, ସାହିତ୍ୟିକଙ୍କ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଏଥି ସହିତ ବିଭିନ୍ନ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।
