ଭଦ୍ରାୟଣୀ ଉଦ୍ଯାପିତ : ଜିଲ୍ଲାବାସୀ ପ୍ରଥମ ଥର ପାଇଁ ଦେଖିଲେ ଜିଲ୍ଲା ମହୋତ୍ସବର ଭିନ୍ନ କଳେବର ପୱନ୍ଦୀପ, ଅରୁଣିତା, ପ୍ରଜ୍ଞା ଓ ଶଙ୍କରଙ୍କ ପାଇଁ ଷ୍ଟାଡିୟମ୍ ହେଲା ଜନ ସମୁଦ୍ର
ଭଦ୍ରକ : ବିଶାଳ ମଞ୍ଚ ଓ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ଦିନକୁ ଦିନ ଚମକ ସୃଷ୍ଟି କରିଚାଲିଥିବା ଭଦ୍ରକ ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ-୨୦୨୩ ମହା ସଫଳତାର ସହିତ ଆଜି ଉଦ୍ଯାପିତ ହୋଇଯାଇଛି । ୨୫ ତାରିଖରୁ ଉଦ୍ଘାଟିତ ଏହି ମହୋତ୍ସବ ପ୍ରଥମ ଦିନରୁ ହିଁ ନାମୀଦାମୀ କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଏହାର ବିଶାଳ ଆୟୋଜନ ଚମକ ସୃଷ୍ଟି କରି ଆସିଥିବା ବେଳେ ଆଜିର ଉଦ୍ଯାପନୀ ଉତ୍ସବରେ ବଲିଉଡ୍ କଳାକାର ପୱନଦୀପ, ଅରୁଣିତାଙ୍କ ସଙ୍ଗୀତ, ପ୍ରଜ୍ଞା ଓ ଶଙ୍କରଙ୍କ ଯୋଡ଼ି କମେଡ଼ି ତଡ଼କା ପାଇଁ ଷ୍ଟାଡିୟମ ଜନ ସମୁଦ୍ରରେ ପରିଣତ ହୋଇଥିଲା । ଏହିଭଳି ମହୋତ୍ସବ ପୂର୍ବରୁ କେବେ ଏ ଜିଲ୍ଲାବାସୀ ଦେଖି ନଥିଲେ ବୋଲି ସବୁରି ମୁଖରେ ଚର୍ଚ୍ଚାର ବିଷୟ ପାଲଟିଛି । ଉଦ୍ଯାପନୀ ସନ୍ଧ୍ୟାର ସାଧାରଣ ସଭାରେ ସାଂସଦ ମଞ୍ଜୁଲତା ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲାବେଲେ ଅନ୍ୟତମ ସମ୍ମାନିତ ଅତିଥିଭାବେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ୍, ଅଧ୍ୟକ୍ଷ ଜିଲ୍ଲା ପରିଷଦ ପ୍ରଫୁଲ୍ଲ କୁମାର ଜେନା, ଭଦ୍ରକ ଏସ୍.ପି. ବରୁଣ ଗୁଣ୍ଟୁପାଲ୍ଲି ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାକୁ ଉଦ୍ଘୋଷିକା ପିଙ୍କି ପରିଚାଳନା କରିଥିଲେ । ସ୍ମରଣିକା “ଭଦ୍ରାୟଣୀ-୨୦୨୩” ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହେବା ଅବସରରେ ସମ୍ପାଦନା ମଣ୍ଡଳୀର ସଦସ୍ୟ ଭାବେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତୀମୟ, ଅବସରପ୍ରାପ୍ତ ଶିକ୍ଷାବିତ୍ ପୂର୍ଣ୍ଣଚନ୍ଦ୍ର ବହଳି, ଡ. କ୍ଷୀରୋଦ ସାମଲ, ପ୍ରଭାତନଳିନୀ ମହାପାତ୍ର ଓ ରାଧାରାଣୀ ମହାପାତ୍ର ଏବଂ ସଂଯୋଜକ ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ ମଞ୍ଚରେ ଉପସ୍ଥିତ ଥିଲେ । ଅପରାହ୍ନରେ ଆଞ୍ଚଳିକ କାର୍ଯ୍ୟକ୍ରମରେ ଗାୟତ୍ରୀ କଳା ସଂଗଠନ ରାୟଗଡ଼ାର ଢେମ୍ସା ନୃତ୍ୟ, ସ୍ଥାନୀୟ ନଟରାଜ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଘୋଡ଼ାନାଚ, ସାଇ ନୃତ୍ୟ ଏକାଡେମୀ ଦ୍ୱାରା ନବଦୁର୍ଗା ନୃତ୍ୟ, ନୃତ୍ୟ ଶିଳ୍ପୀ ଶୁଭ୍ରସ୍ମିତା ରାଉତଙ୍କ ଦ୍ୱାରା ଏକକ ସଙ୍ଗୀତ ପରିବେଷଣ ସହ ବିଭିନ୍ନ ସ୍କୁଲ ଦ୍ୱାରା ଖେଲୋ ଇଣ୍ଡିଆ, ପରୀ, ନାରୀକୁ ସମ୍ମାନ, ବିହୁ, ସମ୍ବଲପୁରୀ, ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ବନ୍ତ ବ୍ଲକର ତହସିଲଦାର ଅଙ୍କିତା ବାରିକ ଉଦ୍ଘୋଷିକା ଭାବେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବଲିଉଡ୍ କଳାକାର ପୱନ୍ଦୀପ ଓ ଅରୁଣିତାଙ୍କ ମନମତାଣିଆ ସଙ୍ଗୀତ କାର୍ଯ୍ୟକ୍ରମ ସାଙ୍ଗକୁ ପ୍ରଜ୍ଞା ଓ ଶଙ୍କରଙ୍କ ଦମ୍ଦାର କମେଡ଼ି ତଡ଼୍କା ମତୁଆଲା କରିଥିଲା ଷ୍ଟାଡିମୟ୍ର ଅସୁମାରୀ ଦର୍ଶକଙ୍କୁ । ସେଲିବ୍ରିଟି ମିସ୍ ଓଡ଼ିଶା-୨୦୨୧ ଦିଗ୍ଦର୍ଶୀ ମିଶ୍ର, ଓଲିଉଡ୍ ସେଲିବ୍ରିଟି ଜସ୍ମିନ୍ ରଥଙ୍କ ନୃତ୍ୟ କାର୍ଯ୍ୟକ୍ରମ ମଧ୍ୟ ଥିଲା ନିଆରା । ବିଶେଷ କରି ଶେଷ ସନ୍ଧ୍ୟାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅରୁଣିତା କାଞ୍ଜିଲାଲ ଓ ପୱନ୍ଦୀପଙ୍କ ଏକକ ଓ ଦୈତ ଗାୟନ କାର୍ଯ୍ୟକ୍ରମ ଖୁବ୍ ହୃଦୟ ଛୁଆଁ ଥିଲା ।
ଦୁଇ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡୁ ଓ ଶାନ୍ତନୁ କୁମାର ମହାନ୍ତି, ସି.ଡି.ଓ. ପ୍ରତାପ ପ୍ରୀତୀମୟ, ଉପଜିଲ୍ଲାପାଳ ମନୋଜ ପାତ୍ର, ଅତିରିକ୍ତ ଉପଜିଲ୍ଲାପାଳ ଡ. ଲକ୍ଷ୍ମୀ ପ୍ରସାଦ ସାହୁ, ସହକାରୀ ଜିଲ୍ଲାପାଳ କାର୍ତ୍ତିକ ନାଥ ମଣ୍ଡଳ, ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ସମସ୍ତ ବି.ଡି.ଓ. ଓ ତହସିଲଦାରମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ବିଭିନ୍ନ ଦିଗରେ ସହଯୋଗ କରିଥିଲେ । ଏସ୍.ପି.ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏ.ଏସ୍.ପି. ବିଜୟ କୁମାର କେର୍କେଟା, ଡି.ଏସ୍.ପି. ଡି.ଆଇ.ବି. କମଳ ଲୋଚନ ଭୂୟାଁଙ୍କ ଜରିଆରେ ସି.ଟି. ଡି.ଏସ୍.ପି. ଏବଂ ବିଭିନ୍ନ ଥାନାର ଆଇ.ଆଇ.ସି. ମାନଙ୍କ ଜରିଆରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା ।୨୦୧୭ରେ ରାଜ୍ୟ ପୁରସ୍କାର ଓ ୨୦୨୧ରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଶୋକ ଶତପଥୀ, ଯମୁନାଲାଲ ବଜାଜ୍ ପୁରସ୍କାର-୨୦୨୨ ସହ ଅନ୍ୟ କ୍ଷେତ୍ରରେ ବିଭିନ୍ନ ରାଜ୍ୟ ଓ ଜାତୀୟ ପୁରସ୍କାରପ୍ରାପ୍ତ ସମାଜସେବୀ ସୋଫିଆ ସେକ୍, କମନ୍ୱେଲ୍ଥ ଫେନ୍ସିଂ ଚାମ୍ପିୟନସିପ୍-୨୦୨୨ରେ ରୌପ୍ୟ ପଦକ ସହ ଜାତୀୟ ଓ ଆନ୍ତର୍ଜାତୀୟ ଫେନ୍ସିଂ ଗେମ୍ରେ ୩୮ ଟି ପଦକ ସହ ୨୦୧୮ ଏସିଆନ୍ ପାରାଗ୍ରାମ, ୯ ଥର ଫେନ୍ସିଂ ଗେମ୍ରେ ବିଶ୍ୱ କପ୍ରେ, ୨ ଥର ୱାର୍ଲଡ ଚାମ୍ପିୟନ୍ସିପ୍, ୫ ଥର ଜାତୀୟ ଚାମ୍ପିୟନ୍ସିପ୍ରେ ଅଂଶଗ୍ରହଣ କରିଥିବା ଭଦ୍ରକ ଜିଲ୍ଲାର ଦିବ୍ୟାଙ୍ଗ କ୍ରୀଡ଼ାବିତ୍ ରାଖାଲ କୁମାର ସେଠୀ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ବେଷ୍ଟ ଡବ୍ଲ୍ୟୁ.ଏସ୍.ଏଚ୍.ଜି. ଭାବେ ସମନ୍ୱିତ ଚାଷ ପାଇଁ ପୁରସ୍କାର ପ୍ରାପ୍ତ ସୁଦୀପ୍ତି ସିଂହଙ୍କୁ ଜିଲ୍ଲା ମହୋତ୍ସବ ଭଦ୍ରାୟଣୀ ମଞ୍ଚରେ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
