ବିଶ୍ୱନାଥ ସଙ୍ଗୀତାଳୟ କଳାକାରଙ୍କ ନୃତ୍ୟକଳା ଦିଲ୍ଲୀରେ ଉଚ୍ଚ ପ୍ରଶଂସିତ
କଟକ : ଭାରତୀୟ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ କଟକର ପ୍ରତିଷ୍ଠିତ ବିଶ୍ୱନାଥ ସଙ୍ଗୀତାଳୟର କଳାକାରମାନେ ଦିଲ୍ଲୀ କର୍ତ୍ତବ୍ୟ ପଥରେ ଉଚ୍ଚକୋଟୀର ନୃତ୍ୟ ପରିବେଷଣ କରି ପ୍ରଶଂସିତ ହୋଇଛନ୍ତି । ନୃତ୍ୟଗୁରୁ ଦିପ୍ତୀ ରାଉତରାୟଙ୍କ କଟକ ସ୍ଥିତ ବିଶ୍ୱନାଥ ସଙ୍ଗୀତାଳୟର ନୃତ୍ୟଶିଳ୍ପୀଙ୍କ ଦ୍ୱାରା ଉଚ୍ଚକୋଟୀର ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଗତ ୫ତାରିଖରୁ ଏହି ନୃତ୍ୟ ଶିଳ୍ପୀମାନେ ଦିଲ୍ଲୀ ଗସ୍ତରେ ଯାଇ ଦୀର୍ଘ ୨୧ ଦିନ ଧରି ନୃତ୍ୟ ତାଲିମ ନେଇ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ରେ ନୃତ୍ୟ ପରିବେଷଣ କରିଥିଲେ । ଗୁରୁ ଦିପ୍ତୀ ରାଉତରାୟଙ୍କ ଦ୍ୱାରା ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀ ସୁଶ୍ରୀ ଦିକ୍ଷା ରାଉତରାୟ, ମେଘନା ମିଶ୍ର, ଆଙ୍କାକ୍ଷା ରାଉତରାୟ ଏବଂ ବିଭାଷ ରଞ୍ଜନ ଦାସ ପ୍ରମୁଖଙ୍କ ନୃତ୍ୟ ପରିବେଷଣ ଦିଲ୍ଲୀରେ ଉଚ୍ଚ ପ୍ରଶଂସିତ ହୋଇଥିଲା । ଦେଶର ବଛା ବଛା ୫ ଶହ କଳାକାର ଏହି ଭବ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପ୍ରଥମେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭୁବନେଶ୍ୱର, ପୂର୍ବାଚଂଳ ସାଂସ୍କୃତିକ ପରିଷଦ କୋଲକତା ଠାରେ ଅନୁଷ୍ଠିତ ନୃତ୍ୟ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରି ଗ୍ରାଣ୍ଡ ଫିନାଲରେ ଦିଲ୍ଲିଠାରେ କୃତିତ୍ୱ ଅର୍ଜନ କରି ଦିଲ୍ଲି କର୍ତବ୍ୟ ପଥକୁ ଯିବା ପାଇଁ ମନୋନୀତ ହୋଇଥିଲେ ।
